Odia News Portal

ନବୀନଙ୍କ ଟିକା ପ୍ରସ୍ତାବର ମହତ୍ୱ ବୁଝିଲେ ମୋଦୀ

ଖୋଲା ବଜାରରେ ଟିକା ବିକିପାରିବେ କମ୍ପାନି

ନୂଆଦିଲ୍ଲୀ : ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ ଟିକା ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ । ଫଳରେ ଟିକାକରଣ ଅଧିକ ସରଳୀକରଣ ହୋଇପାରିବ ବୋଲି ଉଲ୍ଲେଖ କରିବା ସହ ଆଉ ୫ ପ୍ରସ୍ତାବ ଦେଇଥିଲେ । ନବୀନଙ୍କ ନୂଆ ଟିକା ପ୍ରସ୍ତାବର ମହତ୍ୱ ବୁଝିପାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଣିକି ରାଜ୍ୟ ସରକାରମାନେ ସିଧାସଳଖ ଟିକା କମ୍ପାନିମାନଙ୍କଠାରୁ କରୋନା ଟିକା ଖରିଦ କରିପାରିବେ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ୩ୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁସାରେ ଟିକା କମ୍ପାନିମାନେ ନିଜ ଉତ୍ପାଦିତ ଟିକାର ଅଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ଅବଶିଷ୍ଟ ଅଧା ରାଜ୍ୟ ସରକାର ଓ ଖୋଲା ବଜାରରେ ବିକ୍ରି କରିପାରିବେ । କମ୍ପାନିମାନେ ଏହି ଅବଶିଷ୍ଟ ଅର୍ଦ୍ଧେକ ଟିକାର ମୂଲ୍ୟ ମେ ୧ ପୂର୍ବରୁ ଘୋଷଣା କରିବେ ।
କେନ୍ଦ୍ର ସରକାର ଖୋଲା ବଜାରରେ ଟିକା ବିକ୍ରି କରିବାକୁ ଓ ରାଜ୍ୟମାନଙ୍କୁ ଟିକା କିଣିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରମାନେ ପୂର୍ବରୁ ଦାବି କରିଆସୁଥିଲେ । ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ଖୋଲା ବଜାରରେ ବିକ୍ରି କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କିଣୁଥିବା ଟିକାଗୁଡ଼ିକୁ ପୂର୍ବପରି ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇଦିଆଯିବ । ତେବେ ଯେଉଁ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବ, ଯେଉଁ ରାଜ୍ୟରେ ଟିକାକରଣ ଠିକ ଭାବରେ ଚାଲିଥିବ ଓ ଯେଉଁ ରାଜ୍ୟରେ ଟିକା ଅପଚୟ କମ ଥିବା ସେହି ରାଜ୍ୟମାନଙ୍କୁ ଅଧିକ ଟିକା ପ୍ରଦାନ କରାଯିବ ।