Odia News Portal

ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରିବ ସେବି

ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରାଯିବ। ଅତୀତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଏବଂ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍କୁ ନେଇ ଘଟିଥିବା ଘଟଣା ପରେ ଏହି ଶିଳ୍ପରେ ନିବେଶକମାନଙ୍କ ପାଣ୍ଠିକୁ ସୁରକ୍ଷା ପ୍ରଦାନ କରିବା ଲାଗି ସେବି ଫୋରେନ୍ସିକ୍ ଅଡିଟ୍ କରିବାକୁ ଚାହୁଛି। ଫଣ୍ଡ୍ ହାଉସ୍ଗୁଡ଼ିକ ପ୍ରତିଭୂତିରେ କେତେ ନିବେଶ କରିଛନ୍ତି, ବିପଦକୁ କିଭଳି ପରିଚାଳନା କରୁଛନ୍ତି, କୌଣସି ପାଣ୍ଠିରେ ଅବନତି ଘଟିଲେ ତାହାର ସତର୍କ ସୂଚନା ଦେଉଛନ୍ତି ନା ନାହିଁ ଭଳି ବିଭିନ୍ନ ଦିଗକୁ ନେଇ ଅଡିଟ୍ ହେବ। ବିଭିନ୍ନ ସ୍କିମ୍ ପାଇଁ ସେମାନଙ୍କ ରହିଥିବା ନିବେଶ ରଣନୀତି ଏବଂ ମୂଲ୍ୟାୟନର ପ୍ରକ୍ରିୟାକୁ ମଧ୍ୟ ଅଡିଟ୍ ପରିସରଭୁକ୍ତ କରାଯିବ।
ଗତ କିଛି ବର୍ଷ ଭିତରେ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପ ବିଶାଳ ରୂପ ଧାରଣ କରିଛି। ୨୦୧୨ ନଭେମ୍ବରରେ ଏହି ଶିଳ୍ପର ପରିଚାଳନା ଅଧୀନ ସମ୍ପତ୍ତି ବା ଏୟୁଏମ୍ ପରିମାଣ ୮ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୪ରେ ତାହା ୧୦ ଲକ୍ଷ କୋଟି ଟଙ୍କା, ୨୦୧୭ରେ ୨୦ ଲକ୍ଷ କୋଟି ଟଙ୍କା, ୨୦୨୦ରେ ୩୦ ଲକ୍ଷ କୋଟି ଟଙ୍କା ଏବଂ ଏବେ ୪୦ ଲକ୍ଷ କୋଟି ଟଙ୍କା ଶିଳ୍ପରେ ଏହା ପରିଣତ ହୋଇଛି। ଯେହେତୁ ଏହି ବଜାର ବହୁତ ବଡ଼ ହୋଇଛି, ତେଣୁ ଏଥିରେ ନିବେଶ କରିଥିବା ୟୁନିଟ୍‌ଧାରୀଙ୍କ ସ୍ବାର୍ଥର ସୁରକ୍ଷାକୁ ନିଶ୍ଚିତ କରିବାରେ ଟ୍ରଷ୍ଟିମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ। ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ମ୍ୟୁଚୁଆଲ୍ ଫଣ୍ଡ୍ ଫୋର୍ଟଫୋଲିଓରେ ବହୁ କ୍ଷେତ୍ରରେ ବ୍ୟାଙ୍କ ଖାତା ବିବରଣୀ ଉପଲବ୍ଧ ନାହିଁ। କେତେକ କ୍ଷେତ୍ରରେ ବ୍ୟାଙ୍କ ଖାତା ନମ୍ବର ଅସମ୍ପୂର୍ଣ୍ଣ ରହିଛି। ସେହି ସବୁ ଖାତା ଜରିଆରେ ଜାଲିଆତି ଓ ହେରଫେର ହେବାର ସମ୍ଭାବନା ରହିଛି। ୟୁନିଟ୍‌ଧାରୀଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ଉତ୍ପାଦ ଓ ସେବା ନିମନ୍ତେ ‘ୟୁନିଟ୍‌ଧାରୀଙ୍କ ସୁରକ୍ଷା କମିଟି’ ଗଠନ କରିବାକୁ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାଗୁଡ଼ିକୁ ସେବି ପ୍ରସ୍ତାବ ଦେଇଛି। ସେହି କମିଟି କଂପାନିର ସବୁ ନିଷ୍ପତ୍ତିକୁ ଅନୁଧ୍ୟାନ କରି ତାହା ୟୁନିଟ୍‌ଧାରୀଙ୍କ ସ୍ବାର୍ଥ ରକ୍ଷା ଲାଗି ନିଆଯାଇଛି ନା ନାହିଁ ଜାଣିବାକୁ ଉଦ୍ୟମ କରିବ।