ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସମୟରେ ଘଟଣାରେ ୨ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ତେବେ ଘଟଣାରେ ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିବ ପୋଲିସ |ମହିଳାଙ୍କ ହତ୍ୟା ପରକୀୟା ପ୍ରୀତି କାରଣରୁ ଘଟିଥିବା ସନ୍ଦେହ କରୁଛି ପୋଲିସ | ଧରା ପଡ଼ିଥିବା ୨ଯୁବକଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ଥିବା ସୂଚନାରୁ ଜଣାପଡ଼ିଛି | ତେବେ କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଉପରୁ ପର୍ଦ୍ଦା ହଟାଇବ ପୋଲିସ | ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ କରିଛନ୍ତି ହତ୍ୟା । ଅଭିଯୁକ୍ତ ଘର ଗଞ୍ଜାମରେ , ରାଜଧାନୀର ଏକ ବସ୍ତିରେ ରହୁଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ପ୍ରଦାନ କରିଛନ୍ତି ।

ତେବେ ମୃତ ମହିଳାଙ୍କ ପରିଚୟ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରୁ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍ ପୋଲିସ ପ୍ରେସମିଟ୍ ଜରିଆରେ ସୂଚନା ଦେବ । ଗତ ୪ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ ।

ତେବେ ଘଟଣାରେ ମହିଳାଙ୍କ ପରିଚୟ ଖୋଜିବାକୁ ସହରର ଚାରିଆଡ଼େ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଥିଲା ପୋଲିସ । ମହିଳାଙ୍କ ସମ୍ପର୍କରେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ଏମିତି କି ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ସହ ବିଭିନ୍ନ ବସ୍ତିରେ ପାଖାପାଖି ୨୦୦ଟି ପୋଷ୍ଟର ଲଗାଇଥିଲା ପୋଲିସ । ସେହିପରି ପୋଲିସ ମହିଳାଙ୍କ ଶବକୁ ୨ଥର ପୋଷ୍ଟମର୍ଟମ କରାଯାଇଥିଲା ।