ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ ସହ ତାରିଣି ବସ୍ତିରେ ରୁହନ୍ତି । ଗତକାଲି ରାତି ପ୍ରାୟ ୯ଟା ସମୟରେ ବାପା ରବି ଓ ତାଙ୍କ ବଡ଼ ବୋହୁ ଲକ୍ଷ୍ମୀପ୍ରିୟା ଘର ସାମ୍ନାରେ ବସିଥିବାବେଳେ ସାନପୁଅ ସାହାଦେବ ଏବଂ ତାର କିଛି ସହଯୋଗୀ ସେଠାରେ ପହଞ୍ଚି ଟଙ୍କା ମାଗିଥିଲେ ।
ଟଙ୍କା ନ ଦେବାରୁ ବାପ, ପୁଅ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ଏତେ ଉଗ୍ର ରୁପ ଧାରଣ କରିଥିଲା ଯେ ସାହାଦେବ ନିଜର ହିତାହିତ ଜ୍ଞାନ ଭୁଲି ବାପାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳସ୍ୱରୂପ, ରବି ଗୁରୁତର ଆହତ ହୋଇଥିଲେ । ବୋହୁ ଲକ୍ଷ୍ମୀପ୍ରିୟା ସାହାଦେବଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ମଧ୍ୟ ଅଭିଯୁକ୍ତର କ୍ରୋଧର ସମ୍ମୁଖୀନ ହୋଇଥିଲେ। ଲକ୍ଷ୍ମୀପ୍ରିୟାଙ୍କ ବାମ ହାତରେ ଗୁରୁତର ଆଘାତ ଦେଇଥିଲେ।
ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଥିଲେ। ଉଭୟ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ରବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ AIIMS କୁ ସ୍ଥାନାନ୍ତର କରାଯାଇଛି। ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜୁଛି ।