ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଲୋହଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ, ଶାଶୁଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା ବୋହୂ । ଆଉ କଟା ଖଣ୍ଡକୁ ଫ୍ରିଜରେ ରଖି ପରେ ବିଭିନ୍ନ ସ୍ଥାନରେ ଫୋପାଡିଲା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଆସାମ୍, ଗୌହାଟିରେ । ବନ୍ଦନା କଲିତା ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କ ହତ୍ୟା କରିବା ପରେ ମୃତଦେହକୁ କାଟି ଫ୍ରିଜରେ ରଖିଲା । ପରେ ତିନି ଦିନ ଧରି ମୃତଦେହର ସେହି ଖଣ୍ଡକୁ ମେଘାଳୟର ବିଭିନ୍ନ ସ୍ଥାନରେ ଫୋପାଡିଲା । ହତ୍ୟାକାଣ୍ଡର ଷଡଯନ୍ତ୍ର ଓ ମୃତଦେହକୁ ଠିକଣା ଲଗାଇବା ପାଇଁ ବନ୍ଦନାକୁ ସହଯୋଗ କରିଥିଲେ ତାଙ୍କର ଦୁଇ ପୁରୁଷ ବନ୍ଧୁ ।
ଗତ ବର୍ଷ ଜୁଲାଇ ମାସରେ ହୋଇଥିବା ଏହି ହତ୍ୟାକାଣ୍ଡର ଖୁଲାସା ସୋମବାର ହୋଇଛି । ସୋମବାର ଗୌହାଟି ପୋଲିସ ଅଭିଯୁକ୍ତ ବନ୍ଦନା ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି । ସବୁଠାରୁ ବଡ କଥା ହେଉଛି ଗତ ବର୍ଷ ସ୍ୱାମୀ, ଶାଶୁଙ୍କୁ ହତ୍ୟା କରିବା ପରେ ମହିଳା ଜଣଙ୍କ ଥାନାର ଦ୍ୱାରାସ୍ଥ ହୋଇ ସେମାନଙ୍କ ନିଖୋଜ ହେବାର ରିପୋର୍ଟ କରିଥିଲେ । ମୃତ ସ୍ୱାମୀ ଓ ଶାଶୁ ହେଲେ ଅମରଜ୍ୟୋତି ଦେ ଓ ଶଙ୍କରି ଦେ । ପୋଲିସ୍ର ସୂଚନା ଅନୁସାରେ, ଗତବର୍ଷ ଜୁଲାଇ ୨୬ ତାରିଖରେ ପ୍ରଥମେ ନିଜ ସ୍ୱାମୀ ଅମରଜ୍ୟୋତିଙ୍କୁ ହତ୍ୟା କରିଥିଲା ବନ୍ଦନା । ଏହାପରେ ସ୍ୱାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ଆଉ ତିନି ଦିନ ଧରି ସେହି ଖଣ୍ଡକୁ ଚେରାପୁଞ୍ଜିକ ବିଭିନ୍ନ ସ୍ଥାନରେ ଫୋପାଡିଥିଲା ।
ଏହାପରେ ଅଗଷ୍ଟ ମାସରେ ଶାଶୁ ଶଙ୍କରିଙ୍କୁ ହତ୍ୟା କରି ସମାନ ଭାବେ ତାଙ୍କ ମୃତଦେହକୁ ଠିକଣା ଲଗାଇଥିଲା ବନ୍ଦନା । ସ୍ୱାମୀ, ଶାଶୁଙ୍କୁ ହତ୍ୟା କରିବା ପରେ ସେମାନଙ୍କ ନିଖୋଜ ହେବା ରିପୋର୍ଟ ଥାନାରେ ମଧ୍ୟ କରିଥିଲା ଅଭିଯୁକ୍ତ । ପୋଲିସର ତଦନ୍ତକୁ ବାଟବଣା କରିବା ପାଇଁ ବାରମ୍ବାର ପୋଲିସ ଷ୍ଟେସନରେ ପହଞ୍ଚି ସ୍ୱାମୀ ଓ ଶାଶୁଙ୍କ ବିଷୟରେ ପଚାରି ବୁଝୁଥିଲେ । ହେଲେ ବନ୍ଦନାଙ୍କ କାର୍ଯ୍ୟକଳାପ ନେଇ ପୋଲିସକୁ ସନ୍ଦେହ ହୋଇଥିଲା । ଗତ ୧୭ ତାରିଖରେ ବନ୍ଦନାଙ୍କୁ ଗିରଫ କରି ଜେରା କରିଥିଲା ଗୌହାଟି ପୋଲିସ । ଏହାପରେ ପୋଲିସ ଆଗରେ ସବୁ ସତ ଓଗାଇଥିଲା ବନ୍ଦନା । କେବଳ ସେତିକି ନୁହେଁ ତଦନ୍ତରେ ମୃତ ଦେହର କଟା ଅଂଶକୁ ଜବତ କରିଛି ପୋଲିସ ।