ଦୀର୍ଘ ୧୨ଦିନ ଧରି ଚାଲିଥିବା ପ୍ରଚାର ସରିଛି । ଥମିଯାଇଛି ରାଲି, ପଦଯାତ୍ରା, ହୋହଲ୍ଲା, ନାରାବାଜି । ଗୁରୁବାର ଭୋଟ । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ଟେନସନ ସେତେ ବଢ଼ି ଚାଲିଛି । ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର ସରିଥିଲେ ହେଁ ଆରମ୍ଭ ହୋଇଯାଇଛି ଅସଲ ଖେଳ । ସବୁ ଜଗିଛନ୍ତି ନିଜ ଗଡ଼ ଓ ୱାର୍ଡକୁ । ଏ ଦଳ ସେ ଦଳକୁ ଜଗିଥିବାବେଳେ ସେ ପ୍ରାର୍ଥୀ ଏ ଗୋଷ୍ଠୀକୁ ଛକିଛନ୍ତି । କାହା ଆଖିରେ ନିଦ ନାହିଁ । ଛକାପଞ୍ଝା ଭିତରେ ମଙ୍ଗଳବାର ରାତି ବିତିଯାଇଛି ଉଜାଗରରେ । ବୁଧବାର ରାତିକୁ ଏମିତି ଉଜାଗରରେ କାଟିଦେବେ ପ୍ରାର୍ଥୀ ଓ ସମର୍ଥକ ।
ଶେଷ ପର୍ଯ୍ୟାୟରେ ଭୋଟ ହାତେଇବାକୁ ପ୍ରୟୋଗ ହୋଇଛି ସାମ-ଦାମ-ଦଣ୍ଡ-ଭେଦ । ମତଦାତାଙ୍କୁ ବୁଝାଇ ସୁଝାଇ ନିଜ ସପକ୍ଷରେ ଭୋଟ ଦେବା ପାଇଁ ମନାଇ ନେବାକୁ ପ୍ରୟାସ ଚାଲିଛି । ଅଧିକାଂଶ ୱାର୍ଡରେ ଭୋଟ ହାତେଇବାକୁ ମୋଟା ଅଙ୍କର ଟଙ୍କା ବଣ୍ଟାଯାଉଥିବା ଶୁଣିବାକୁ ମିଳିଛି । ଏମିତିକି ଗୋଟିଏ ପରିବାରର ମୁଣ୍ଡ ପିଛା ଭୋଟ ହିସାବ କରି ଟଙ୍କା କାରବାର ହେଉଛି । ଭୋଟ ଦେବାକୁ ପ୍ରତିଶ୍ରୁତି ଦେଇ ଗୋଟିଏ ଗୋଟିଏ ପରିବାର ଏକାଧିକ ପ୍ରାର୍ଥୀଙ୍କଠାରୁ ଟଙ୍କା ବି ଆଣୁଛନ୍ତି । ଏହାବାଦ୍ କେତେକ ଜାଗାରେ ଭୋଟ ପାଇଁ ନାଲି ଆଖି, ଧମକଚମକ ବି ଦିଆଯାଉଥିବା ଅଭିଯୋଗ ଶୁଣିବାକୁ ମିଳିଛି । କେତେକ ସ୍ଥାନରେ ମତଦାତାଙ୍କ ଦୁର୍ବଳତାର ଫାଇଦା ନେବାକୁ ପ୍ରାର୍ଥୀ ପ୍ରୟାସ କରୁଛନ୍ତି । ପ୍ରଚାର ସରିଥିବାବେଳେ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ନଗର ସଭାପତିମାନେ ନିଜ ଏରିଆ ଜଗିଛନ୍ତି । ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଜଗିଛନ୍ତି ୱାର୍ଡକୁ । ନିଜେ ଭୋଟରଙ୍କ ପାଖରେ ଲୁଚିଛପି ପହଞ୍ଚିବା ସହ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସମସ୍ତେ । ଯୁଆଡ଼େ ଟଙ୍କା ବଣ୍ଟା ଖବର ଆସିଲା, ଦଳବଳ ହୋଇ ମାଡ଼ି ଯାଉଛନ୍ତି ସିଆଡ଼େ । କେତେକ ଜାଗାରେ ହାତାହାତି, ଧସ୍ତାଧସ୍ତି ବି ହୋଇଛି । ଏମିତି ଛକାପଞ୍ଝା ଲାଗି ରହିଛି ପୌରାଞ୍ଚଳରେ ।
ସଭିଙ୍କ ନଜର ବସ୍ତି ଭୋଟ ଉପରେ । ବସ୍ତି ଭୋଟ ହିଁ ସବୁବେଳେ ପୌର ନିର୍ବାଚନରେ ନିର୍ଣ୍ଣାୟକ ହୋଇ ଆସିଛି । ସହରୀ ଶିକ୍ଷିତ ବର୍ଗଙ୍କ ମତଦାନ ହାର କମ୍ ରହୁଥିବାରୁ ବସ୍ତି ଭୋଟ ହାତେଇବାକୁ ସବୁ ଦଳ ଓ ପ୍ରାର୍ଥୀ ଲାଗି ପଡ଼ିଛନ୍ତି । ବସ୍ତି ଭୋଟ ପାଇଁ ଶେଷ ପର୍ଯ୍ୟାୟରେ ଧାଁ ଧପଡ଼ ବଢ଼ିଛି । ଏଥିପାଇଁ ବସ୍ତିକୁ ଜଗିଛନ୍ତି ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକ । ହେଲେ ସଭିଙ୍କ ଡର ଚତୁର ଭୋଟକୁ । ହାୱାରେ କିମ୍ବା କୌଣସି ପ୍ରଲୋଭନରେ ପ୍ରଭାବିତ ହେଉଥିବା ନୀରବ ଭୋଟରଙ୍କୁ ନେଇ ସବୁ ଦଳ ଓ ପ୍ରାର୍ଥୀ ଚିନ୍ତାରେ । ଏ ଚତୁର ଭୋଟର ହିଁ ସବୁ ହିସାବକୁ ବିଗାଡ଼ି ପାରନ୍ତି । ପ୍ରଥମ କରି ମେୟର ଓ ପୌର ଅଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ଭୋଟ ହେଉଥିବାରୁ ଏଥର ଅଧିକ ସଂଖ୍ୟାରେ ଶିକ୍ଷିତ ଭୋଟର ମତଦାନ କରିବେ ବୋଲି ଅନୁମାନ କରାଯାଉଛି । ଯଦି ଅଧିକ ସଂଖ୍ୟକ ଶିକ୍ଷିତ ଭୋଟର ମତଦାନକୁ ଆସିବେ, ତେବେ ଚତୁର ଭୋଟିଂ ସଂଖ୍ୟା ବଢ଼ିବ । ରାଜ୍ୟର ୩ଟି ମହାନଗର ନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର) ସହ ୪୭ଟି ପୌରପାଳିକା ଏବଂ ୫୯ଟି ଏନଏସିରେ ୨୪ ତାରିଖରେ ହେବ ଭୋଟ । ପ୍ରଥମ ଥର ପାଇଁ ଏଥର ପୌର ଅଧ୍ୟକ୍ଷ ଓ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ପୌର ନିର୍ବାଚନ ମଇଦାନରେ ୫୬୯ଜଣ ମେୟର/ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନରେ ଲଢ଼ୁଛନ୍ତି । ସେହିପରି କର୍ପୋରେଟର/କାଉନସିଲର ପଦବୀ ପାଇଁ ମୋଟ ୫୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ ୬୪୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷ ୫୫ ହଜାର ୫୩ଜଣ ମତଦାତା ।
ପଞ୍ଚାୟତ ନିର୍ବାଚନ ସଫଳତାକୁ ପୌରରେ ଦୋହରାଇବାକୁ ବିଜେଡି ଲକ୍ଷ୍ୟ ରଖିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ କେତେକ ଆସନରେ କମାଲ କରିବାକୁ ଜୀ ଜାନ୍ ଲଗାଇ ଦେଇଛନ୍ତି । ଭୁବନେଶ୍ୱରରେ ମଙ୍ଗଳବାର ଶେଷ ଦିନରେ ବିଜେଡିର ତିନି ବିଧାୟକ ଓ ବିଜେପିର ସାଂସଦ ବିଶାଳ ରୋଡ୍ ସୋ’ ମାଧ୍ୟମରେ ମାରାଥନ ପ୍ରଚାର କରିଥିଲେ । କଂଗ୍ରେସ ପ୍ରାର୍ଥୀମାନେ ନିଜ ନିଜ ୱାର୍ଡରେ ଘରଘର ବୁଲି ପ୍ରଚାର ଚଳାଇଥିଲେ । କଟକରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀମାନେ ଦମଦାର ପ୍ରଚାର କରିଛନ୍ତି ଶେଷ ଦିନରେ । ବିଜେପି ବି ଜୋରଦାର ପ୍ରଚାର କରିଥିଲା । ବ୍ରହ୍ମପୁର ମହାନଗର ବି ଉଠିଥିଲା ପଡ଼ିଥିଲା ପ୍ରଚାରରେ । ସବୁ ପୌରାଞ୍ଚଳ ଶେଷ ପର୍ଯ୍ୟାୟରେ ପ୍ରଚାରରେ କମ୍ପିଥିଲା । ମ୍ୟୁନିସିପାଲିଟି ଓ ଏନ୍ଏସିର ୧୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେବ । ମ୍ୟୁନିସିପାଲିଟି/ଏନଏସିର ୨୯୮୯ ବୁଥ୍ରେ ଓ ୩ଟି ମହାନଗର ନିଗମର ୧୩୮୪ଟି ବୁଥ୍ରେ ଭୋଟ ଗ୍ରହଣ ହେବ ।
ପ୍ରଚାର ଥମିବା ପରେ ପ୍ରାର୍ଥୀଙ୍କ କ୍ୟାମ୍ପ ଅଫିସ ଓ ଘରେ ଭିଡ଼ ଜମିଛି । କେମିତି ଭୋଟକୁ ବୁଥକୁ ଆଣିବେ, ସେ ନେଇ ରଣନୀତି ଚାଲିଛି । ସମସ୍ତ ଭୋଟରଙ୍କ ପାଖରେ ଚିରୁକୁଟି ବଣ୍ଟା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ପାଇଁ ମୋଟ ୨୨୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ଜଣ ପୋଲିଂ ଅଫିସର ରହିବେ । ବୁଧବାର ଅପରାହ୍ନ ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ରାଜ୍ୟ ପୁଲିସ ତରଫରୁ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପାଇଁ ୩୦ ପ୍ଲାଟୁନ, କଟକ ମହାନଗର ନିଗମ (ସିଏମ୍ସି) ପାଇଁ ୨୦ ପ୍ଲାଟୁନ ଓ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନଷ୍ଟେବଳ କିମ୍ବା ହାବିଲଦାର ବା ଆର୍ମ ଫାର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୁଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବର୍ଡର ସିଲିଂ ପଏଣ୍ଟ ରହିବ ।