ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ନାହିଁ ମାଗଣାରେ ଖାଦ୍ୟ । ଏଥିନିମନ୍ତେ ଲୋକଙ୍କୁ ଦେବାକୁ ପଡ଼ିବ ୧ ଟଙ୍କା । ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାକୁ କାଉଣ୍ଟର କରିବ। ନିମନ୍ତେ କିଛି ଦିନ ପୂର୍ବେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ ‘ଅନ୍ନପୂର୍ଣ୍ଣା’ ଯୋଜନା। ଆହାର ଯୋଜନାରେ ଲୋକଙ୍କୁ ୫ ଟଙ୍କାରେ ଭାତ, ଡାଲମା ମିଳୁଥିବା ବେଳେ ସାଂସଦ ଷଡଙ୍ଗୀ କିନ୍ତୁ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏହା ଉପରେ ରୋକ ଲଗାଇଛି ବିଏମ୍ସି |
ବିଏମସିର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି । ଇଚ୍ଛୁକ ଲୋକ ଭୁବନେଶ୍ୱର ମହାନଗର ନିଗମଠାରୁ ଅନୁମତି ନେଇ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ଖାଦ୍ୟ, ବସ୍ତ୍ର ପ୍ରଦାନ କରିପାରିବେ। ତେବେ ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ନିୟମର ଉଲ୍ଲଘଂନ କରନ୍ତି, ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
ତେବେ ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କଡା ପଦକ୍ଷେପ ନେଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।