ଭୁବନେଶ୍ୱର: ଏଣିକି ରାଜଧାନୀରେ କେହି ଭୋକରେ ଶୋଇବେନି । ରାସ୍ତାକଡରେ କେହି ଅଖିଆ ରହିବେନି । ଭୋକିଲା ପେଟରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଖରେ ଖାଇବା ପହଞ୍ଚାଇବା ଅନ୍ନପୂର୍ଣ୍ଣା । କ୍ଷୁଧାମୁକ୍ତ ଓଡିଶା ପାଇଁ ଆଜି ଲୋକାର୍ପିତ ହୋଇଛି ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଆଜି ଏହାକୁ ଲୋକାର୍ପିତ କରିଛନ୍ତି । ଅନ୍ନପୂର୍ଣ୍ଣା ପ୍ରାଥମିକ ଭାବେ ଭୁବନେଶ୍ୱରରେ କାର୍ଯ୍ୟ କରିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ସମଗ୍ର ଓଡିଶାରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଅନ୍ନପୂର୍ଣ୍ଣାର ପ୍ରମୁଖ ପରାମର୍ଶଦାତା ତଥା ସାଂସଦ ଅପରାଜିତା ଷଢ଼ଙ୍ଗୀ ।
ରାଜଧାନୀର ବିଭିନ୍ନ ବସ୍ତୀ, ମନ୍ଦିର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏପରିକି ରାସ୍ତା କଡରେ ଖାଦ୍ୟ ଅଭାବରୁ ଭୋକିଲା ପେଟରେ ଶୋଉଛନ୍ତି ଲୋକେ । ଯେଉଁମାନଙ୍କ ପାଖରେ ଦିନକୁ ଥରେ ଖାଇବା ପହଞ୍ଚାଇବ ଅନ୍ନପୂର୍ଣ୍ଣା । ଦିନ ୧୨ଟାରୁ ଗୋଟାଏ ଭିତରେ ଗରମ ସୁସ୍ୱାଦୁ ଖାଦ୍ୟ ଭୋକିଲା ଲୋକଙ୍କ ପାଖରେ ପହଁଚିବ । ଏନେଇ ରୁଟମ୍ୟାପ୍ ହୋଇଥିବା ବେଳେ ଦୁଇଟି ମୋବାଇଲ ଭ୍ୟାନରେ ୬ଜଣ ଭଲ୍ୟୁଣ୍ଟର ଏହି ଖାଦ୍ୟ ବାଣ୍ଟିବେ ବୋଲି ଅନ୍ନପୂର୍ଣ୍ଣା ତରଫରୁ କୁହାଯାଇଛି ।
ଅନ୍ନପୂର୍ଣ୍ଣା ଟ୍ରଷ୍ଟ ସହ ଏହି ହଙ୍ଗର ଫ୍ରି ଯୋଜନା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ୫ଟି ସଂସ୍ଥା । ଆନ୍ତର୍ଜାତୀୟ ରୋଟାରୀ ସଂସ୍ଥା ୩୨୬୨, ସୋ ଆଇ ଆମ୍ , ୟୁଥ୍ ଫର୍ ଆକ୍ସନ, ଆର୍ଟ ଅଫ୍ ଲିଭିଙ୍ଗ ଓ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନର ମିଳିତ ବ୍ୟାନରରେ ତିଆରି ହୋଇଛି ଅନ୍ନପୂର୍ଣ୍ଣା । ଏହାସହ କ୍ଷୁଧାମୁକ୍ତ ଓଡିଶା ଗଠନରେ ସହଯୋଗର ହାତ ବଢ଼ାଇବାକୁ ବଦାନ୍ୟବ୍ୟକ୍ତିମାନଙ୍କୁ ଅପିଲ କରିଛି ଅନ୍ନପୂର୍ଣ୍ଣା ଟ୍ରଷ୍ଟ । ସତରେ ଛୋଟିଆ ପଦକ୍ଷେପ ହେଲେ ବି ଭୋକିଲା ପେଟରେ ଦାନା ଯୋଗାଇଦେବାକୁ ଅନ୍ନପୂର୍ଣ୍ଣାର ଏ ପ୍ରୟାସ ବାସ୍ତବିକ୍ ପ୍ରଶଂସନୀୟ ।