Odia News Portal

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ, ପୁଣି ଥରେ ଛାତ୍ରଛାତ୍ରୀ ଦିଆଯିବ ମଧ୍ୟାହ୍ନଭୋଜନ

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ ଆରମ୍ଭ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପିଲାଙ୍କ କ୍ଲାସ୍‌ ସମୟକୁ ଅଧ ଘଣ୍ଟା ଲେଖାଏଁ ବଢ଼ାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବୁଧବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରି କହିଥିଲେ, ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ ।୬ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । କିନ୍ତୁ ଏହି ସମୟରେ ପରିବର୍ତ୍ତନ କରାଯାଇ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟ ଗୁଡ଼ିକୁ ଚିଠି କରାଯାଇଛି ।

ପିଲାମାନେ ଖରାରେ କିଭଳି ସ୍କୁଲ ଆସିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରହିବ । ପିଲାମାନେ ଘରଠୁ ସ୍କୁଲକୁ ଓ ସ୍କୁଲରୁ ଘରକୁ ଫେରିବାବେଳେ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଖୁବ୍‌ଶୀଘ୍ର ଗ୍ରୀଷ୍ମଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଧ୍ୟ ଚିଠିରେ କୁହାଯାଇଛି ।

ଏପଟେ ରାଜ୍ୟରେ କରୋନା ପାଇଁ ଗତ ଦୁଇବର୍ଷ ସ୍କୁଲରେ ମଧ୍ୟାହ୍ନଭୋଜନ ବନ୍ଦ ଥିଲା । ପିଲାଙ୍କୁ ଶୁଖିଲା ରାସନ୍‌ ଦିଆଯାଉଥିଲା । କିନ୍ତୁ ଆସନ୍ତା ଶନିବାରଠୁ ପୁଣିଥରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ଦିଆଯିବ । ଏହାପୂର୍ବରୁ ସ୍କୁଲ ଗୁଡ଼ିକରେ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । ରୋଷେଇ ଗୃହକୁ ସଫା କରାଯିବା ସହ ସମସ୍ତ ବାସନକୁସନକୁ ବ୍ୟବସ୍ଥିତ କରାଯାଇଛି ।