Odia News Portal

କୋଟିଏ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଟ୍ରାକ୍ଟର ଯୋଗେ ପଡୋଶୀ ଅନ୍ଧ୍ରକୁ ଚୋରାଚାଲାଣ କରାଯାଉଥିବା ଗଂଜେଇ ସହ ଚୋରା ଚାଲାଣକାରୀକୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ । ଟ୍ରାକ୍ଟରରୁ 1 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି ।

ସୂଚନା ଅନୁଯାୟୀ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସର ଏକ ଟିମ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଂଚାୟତର ସିଲପଣ୍ଡି ଘାଟି ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ କୁରମାନୁର ଗ୍ରାମରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ । ପୋଲିସକୁ ଦେଖି ଟ୍ରାକ୍ଟର ରେ ବସିଥିବା କିଛି ଲୋକ ଅନ୍ଧାରର ସୁଯୋଗ ନେଇ ଟ୍ରାକ୍ଟରରୁ ଡେଇଁ ପଳାଇ ଥିଲେ । ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ହେଲେ ସୁକଦେ ଖରା (23) ପିତା ରାମ ମୂର୍ତ୍ତି ଖରା ଗ୍ରାମ – ଦାତୁନଗୁଡା । ଉକ୍ତ ଜବତ ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନାକୁ ଆଣି ଓଜନ କରିବାରୁ 1113 କେ ଜି 600 ଗ୍ରାମ ଓଜନ ଥିବା ଓ ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଦଶ ଲକ୍ଷ 85 ହଜାର ଟଙ୍କା ହେବା ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଏଥି ସହ ଗଂଜେଇ ନେଉଥିବା ମହେନ୍ଦ୍ରା ଟ୍ରାକ୍ଟର (ଓଡି-10-କ୍ୟୁ 8634), ଟ୍ରାକ୍ଟର ଟ୍ରଲି ନଂ( ଓଡି10-କ୍ୟୁ 8635), ନଗଦ 650 ଟଙ୍କା, ସହ ଅଭିଯୁକ୍ତର ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଜବତ କରିଛନ୍ତି । ଚିତ୍ରକୋଣ୍ଡା ଥାନା କେସ ନଂ 50/ 16/4/2021 ଅନୁଯାୟୀ ଅଭିଯୁକ୍ତ କୁ ମାଲକାନଗିରି ଜିଲ୍ଲା କୋର୍ଟରେ ହାଜର କରାଯାଇଛି ।