ଭୁବନେଶ୍ୱର: ୮ ମାର୍ଚ୍ଚ ୨୦୨୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ, ନୂତନ ବିଭାଗ ମିଶନ ଶକ୍ତି ବିଭାଗ ଗଠନ କରିବା ନିମନ୍ତେ କ୍ୟାବିନେଟରେ ଅନୁମୋଦନ ହୋଇଅଛି । ବିଭିନ୍ନ ବିଭାଗ ଏବଂ ସଂସ୍ଥା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକୁ ସୁଦୂଢୀକରଣ କରିବା ସହିତ ସୁଦୂର ପ୍ରସାର କରିବା ନିମନ୍ତେ ଏହି ନୂତନ ବିଭାଗ ସହାୟକ ହେବ । ଗୋଟିଏ ପ୍ଲାଟଫର୍ମରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ପ୍ରାଧାନ୍ୟ ଦିଆଯିବ।

ଏହି ବିଭାଗ ସାରା ରାଜ୍ୟରେ ସମସ୍ତ ସ୍ତରରେ ସମନ୍ଵୟ ରକ୍ଷା କରିବାରେ ସହାୟକ ହେବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମର ଅଗ୍ରଗତିର ସଠିକ ପରିଚାଳନାରେ ଗୋଷ୍ଠୀ ଏବଂ ସରକାଙ୍କ ସ୍ତରରେ ସମନ୍ଵୟ ରକ୍ଷା କରିବା ନିମନ୍ତେ ପ୍ରମୁଖ୍ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହି ବିଭାଗ ଦ୍ୱନ୍ଦ ଦୂରୀକରଣ, ଉତ୍ତମ ସେବା ପ୍ରଦାନ , ସଠିକ ତତ୍ବାବଧାନ, ମାନବ ସମ୍ବଳର ସୁପରିଚାଳନା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ନେଟୱର୍କର ସୁପରିଚାଳନାରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ବୃଦ୍ଧିରେ ସହାୟକ ହେବ । ଏହି ବିଭାଗ ବାହାରର ହିତାଧିକାରୀଙ୍କ ନିମନ୍ତେ ଗୋଟିଏ ଯୋଗାଯୋଗ ପଏଣ୍ଟ ଭାବରେ କାର୍ଯ୍ୟ କରିବ।

ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅଗ୍ରଗତି ନିମନ୍ତେ ରାଜ୍ୟରେ ୨୦୦୧ ମସିହାରୁ ପ୍ରମୁଖ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଅଛି । ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସମସ୍ତ କାର୍ଯ୍ୟକ୍ରମର ପ୍ରଶାସନିକ ପରିଚାଳନା ଏବଂ କାର୍ଯ୍ୟକ୍ରମ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବ । ମିଶନ ଶକ୍ତି ବିଭାଗ , ମିଶନ ଶକ୍ତି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଏବଂ ଓଡିଶା ଜୀବିକା ମିଶନ ମିଳିତ ଭାବରେ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବେ। ଯେଉଁଠି ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ଦାୟିତ୍ୱ ସୁସଙ୍ଗଠିତ ହୋଇ ସଠିକ ଭାବରେ କାର୍ଯ୍ୟକାରୀ ହେବ। ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ମହାସଂଘ ପାଇଁ କାର୍ଯ୍ୟ କରିବ ।