Odia News Portal

ମିଳିଲା ନିଖୋଜ ବିରଜୁ କୁଲୁଙ୍କ ପତ୍ତା

ସୁନ୍ଦରଗଡ଼ : ତାଳଚେରରୁ ଠାବ ହେଲେ ନିଖୋଜ ବିରଜୁ କୁଲୁ | ବିରଜୁ କୁଲୁଙ୍କ ମିଳିବା ନେଇ ସୂଚନା ପ୍ରଦାନ କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକ ନାଥ |କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ବିରଜୁଙ୍କୁ ଆଣିବା ନିମନ୍ତେ ତାଳଚେର ଯାଇଛି | ତେବେ ପାକିସ୍ତାନ ଲାହୋର ଜେଲ୍‌ରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିରଜୁ କୁଲୁ ଶନିବାର ରାତି ଗୋଟାଏରୁ କେଉଁ ଆଡେ ନିଖୋଜ ହୋଇଯାଇ ଥିଲେ । ଚାରିଆଡ଼େ ଖୋଜିବା ପରେ ବିରଜୁଙ୍କ ପତ୍ତା ନମିଳିବାରୁ ତାଙ୍କ ଭଉଣୀ କୁତ୍ର। ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଯାହାଫଳରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ପରେ ନିଖୋଜ ବିରଜୁଙ୍କ ପତ୍ତା ଲଗାଇ ପାରିଥିଲା ପୋଲିସ |

ସୂଚନାନୁଯାୟୀ,୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଅଣାଯାଇଥିଲା। ସେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲି ଗାଁରେ ରହୁଥିଲେ। ବିରଜୁଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ମେଡିକାଲ୍‌ ଟିମ୍‌ ନିୟମିତ ଯାଇ ତାଙ୍କର ମେଡିକାଲ୍‌ ଚେକ୍‌ଅପ୍‌ କରୁଥିଲା।