ରୁଷ୍ ଗତରାତିରେ ୟୁକ୍ରେନରେ ଭୟଙ୍କର ମିସାଇଲ ମାଡ଼ କରିଛି। ୟୁକ୍ରେନ ଭିତ୍ତିଭୂମି ଉପରେ ରୁଷ୍ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ପୂର୍ବାଞ୍ଚଳ ସହର ବାଖମୁଟରେ ସମସ୍ତ ଅଞ୍ଚଳରେ ସ୍ଥିତି ଭୟାନକ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି। ରୁଷ୍ର ମିସାଇଲ ମାଡ଼ ଯୋଗୁଁ ଜଣେ ନାଗକରିଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଭିତ୍ତିଭୂମି ଛାରଖାର ହୋଇଯାଇଛି। ୟୁକ୍ରେନର ଜଣେ ସାମରିକ ମୁଖ୍ୟ କର୍ମଚାରୀ କହିଛନ୍ତି, ରୁଷ୍ ୩୬ଟି କ୍ରୁଜ୍ ମିସାଇଲ ମାଡ଼ କରିଥିଲା। ଏଥିମଧ୍ୟରୁ ୧୬ଟି ମିସାଇଲକୁ ଖସାଇ ଦିଆଯାଇଛି। କୃଷ୍ଣ ସାଗରରୁ ରୁଷ୍ ୮ଟି କାଲିବର ମିସାଇଲ ମାଡ଼ କରିଥିଲା। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତା ବଢ଼ିବା ପରେ ରୁଷ୍ ଏହାର ଆକ୍ରମଣକୁ ଜୋରଦାର କରିଛି।
କିବ୍ ଆକାଶରେ ରୁଷ୍ର ବେଲୁନ୍ ଉଡ଼ିଛି। ରୁଷ୍ର ୬ଟି ବେଲୁନ୍ ଚିହ୍ନଟ ହେବାପରେ ୟୁକ୍ରେନ୍ ସେନା ଏହାକୁ ଖସାଇ ଦେଇଛି। ୟୁକ୍ରେନ୍ର ସାମରିକ ପ୍ରଶାସନ ପକ୍ଷରୁ ଏହା କୁହାଯାଇଛି। ଏହି ବେଲୁନ୍ଟିରେ କର୍ନର ରିଫ୍ଲେକ୍ଟର ଏବଂ ଅନ୍ୟାନ୍ୟ ଉପକରଣ ଥିବା ଜଣାପଡ଼ିଛି। ରୁଷ୍ ଦ୍ବାରା ଏହା ଏକ ନୂଆ ପଦକ୍ଷେପ। ୟୁକ୍ରେନ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଠାବ କରିବାପାଇଁ ରୁଷ୍ ଏହି ବେଲୁନ୍ ଉଡ଼ାଉଛି ବୋଲି ୟୁକ୍ରେନ୍ ସାମରିକ ପ୍ରଶାସନ ପକ୍ଷରୁ କୁହାଯାଇଛି। କିବ୍ ଆକାଶରେ ବେଲୁନ୍ ଉଡ଼ୁଥିବାରୁ ଏୟାର ରେଡ୍ ସାଇରନ୍ ବଜାଯାଇଥିଲା। ୟୁକ୍ରେନ୍ ବାୟୁ ପ୍ରତିରକ୍ଷାରେ ବାଧା ସୃଷ୍ଟି କରିବାପାଇଁ ରୁଷ୍ ଏଭଳି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଉଛି। କିନ୍ତୁ ଏନେଇ ବିଶେଷ କିଛି ସ୍ପଷ୍ଟ କରାଯାଇନି।