ବ୍ରହ୍ମପୁର: ରାଜ୍ୟରେ ଥମୁନି ଲଜ୍ୟା | ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ ଅଭାବନୀୟ ଘଟଣା । ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାର ବେକ କାଟିଲା ଯୁବକ । ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର ବୁଦ୍ଧିଆ ବେହେରାଙ୍କ ଝିଅ ଘର ବାହାରେ ଥିବା ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଜଣେ ଅଜଣା ଯୁବକ ଆସି ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିଲା କିନ୍ତୁ ଏଥିରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ଦେଇଥିବା ସନ୍ଦେହ କରାଯାଉଛି ।ତେବେ ମେଡିକାଲ ରିପୋର୍ଟ ମିଳିନଥିବାରୁ ପ୍ରକୃତ ତଥ୍ୟ ଜଣାପଡ଼ିନି |

ଏହି ଘଟଣାରେ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ହେବାରୁ ନାବାଳିକାକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ନାବାଳିକାର ବେକ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିବା ବ୍ରହ୍ମପୁର ଏସପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି | ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀକୁ ଧରାଯାଇଛି | ତଦନ୍ତ କରାଯାଇ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି |