ସୀମାନ୍ତ ଗଳାବାଟ ଦେଇ ଓଡ଼ିଶା ମୁହାଁ ପ୍ରବାସୀ
*ରାଜ୍ୟରେ ଆଗକୁ ବଢ଼ିବ କି ସଂକ୍ରମଣ ସଂଖ୍ୟା !
*ସୀମାନ୍ତରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ ଏବଂ ପୋଲିସ |
ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ | ଆଉ ସଂକ୍ରମଣ ମଧ୍ୟରେ ରାଜ୍ୟର ଚିନ୍ତା ବଢ଼ାଇଛି ସୀମାନ୍ତ ଗଳାବାଟ | ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତରାଜ୍ୟ ବସ ଚଳାଚଳ ବନ୍ଦ ଥିବା ସମୟରେ ସୀମାନ୍ତ ଗଳାବାଟ ଦେଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛନ୍ତି ପ୍ରବାସୀ ଶ୍ରମିକ | ସୀମାନ୍ତ ୧୦ ଜିଲ୍ଲାରେ ଚେକିଂ କଡ଼ାକଡ଼ି ହେବା ସତ୍ତ୍ୱେ ମଧ୍ୟ ପଶ୍ଚିମବଙ୍ଗ ବାଟ ଦେଇ ବାଲେଶ୍ୱର ଏବଂ ମାଲକାନଗିରି ସୀମାନ୍ତ ବାଟ ଦେଇ ଆନ୍ଧ୍ର ଓ ଛତିଶଗଡ଼ର ଅନେକ ପ୍ରବାସୀ ଶ୍ରମିକ ଓଡ଼ିଶା ମୁହାଁ ହେଉଛନ୍ତି | ଯାହା ଫଳରେ କି ରାଜ୍ୟରେ ସଂକ୍ରମଣର ମାତ୍ରା ବଢ଼ିବାରେ ଲାଗିଛି |
ମାଲକାନଗିରି ଜିଲ୍ଲାର ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ସୀମାନ୍ତ ରାସ୍ତା ଦେଇ ପ୍ରତି ଦିନ ଶହ ଶହ ପ୍ରବାସୀ ମାଲକାନଗିରି ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି । ମୁଖ୍ୟତଃ ମୋଟୁ ରାସ୍ତା ଦେଇ ପ୍ରତିଦିନ ବିଭିନ୍ନ ରାଜ୍ୟରୁ ଫେରୁଛନ୍ତି ଶହ ଶହ ପ୍ରବାସୀ ବିଶେଷକରି ମହାରାଷ୍ଟ୍ର,ରାଜସ୍ଥାନ,ଗୁଜରାଟ,ଦିଲ୍ଲୀ,ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ, ଛତିଶଗଡ,ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ରସରକାର ରେଡ ଜୋନ ଭାବେ ଘୋଷଣା କରିଛନ୍ତି । ତେବେ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସମସ୍ତ ସୀମାନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ପୋଲିସ ଏବଂ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରାଯାଉଛି । ମାଲକାନଗିରି ଜିଲ୍ଲା ମୋଟୁ ରାସ୍ତା ଦେଇ ବିଭିନ୍ନ ରାଜ୍ୟରେ ରହି କାମ କରୁଥିବା ପ୍ରବାସୀ ଓଡିଆମାନେ ଆସୁଥିବାରୁ ସେଠାରେ ଏକ ଚେକ ପଏଣ୍ଟ ନିର୍ମାଣ କରାଯାଇଛି । ୨୪ ଘଣ୍ଟା ସେଠାରେ ଯାଞ୍ଚ କରାଯାଉଛି । ପ୍ରତ୍ୟେକ ଗାଡି ଏବଂ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି । ସେଠାରେ ମେଡିକାଲ ଟିମ,ପ୍ରଶାସନ ତରଫରୁ ରେଜିଷ୍ଟ୍ରେସନ ପାଇଁ ଶିକ୍ଷକମାନେ,ବ୍ଲକ ପ୍ରଶାସନ,ତହସିଲ ପ୍ରଶାସନ,ପରିବହନ ବିଭାଗର କର୍ମଚାରୀ ଦିନରାତି ଏକ କରି ଜଗି ରହିଛନ୍ତି।
ପ୍ରତିଦିନ ସକାଳୁ ଶହ ଶହ ପ୍ରବାସୀ ବିଭିନ୍ନ ଗାଡି ମଟରରେ ମୋଟୁ ସୀମାନ୍ତରେ ପହଞ୍ଚୁଛନ୍ତି। ଏଠାରେ ନିଜ ନାମ ରେଜିଷ୍ଟ୍ରେସନ କରି ନିଜ ନିଜ ଅଞ୍ଚଳକୁ ଯାଉଛନ୍ତି । ତେବେ ସରକାରଙ୍କ ନିୟମ ଅନୁଯାୟୀ ଯେଉଁମାନେ ଦୁଇଟି ଭ୍ୟାକ୍ସିନ ନେଇଛନ୍ତି ସେମାନଙ୍କୁ କୌଣସି ପ୍ରକାର ଯାଞ୍ଚ କରାଯାଉନାହିଁ । ସେହିପରି ଯେଉଁମାନେ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇଛନ୍ତି ସେମାନେ ସଙ୍ଗରୋଧରେ ରହିବେ ନାହିଁ ।ମୋଟୁରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀମାନେ ବସ ଏବଂ ଗାଡି ଭଡା କରି ନିଜ ନିଜ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ପ୍ରବାସୀମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ,ପିଇବା ପାଣି ଇତ୍ୟାଦିର ସୁ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପ୍ରବାସୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ଏବେ ଠାରୁ ମୋଟୁ ଠାରେ ସେମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିଛି। ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯେପରି ବଳବତ୍ତର ରଖାଯାଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।