Odia News Portal

ମୟୂରଭଞ୍ଜ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଶାର ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ, ଫେବ୍ରୁଆରି ୧୮ ତାରିଖ ରାତିରେ ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରୁ ସରସ୍ୱତୀ ପୂଜା କାର୍ଯ୍ୟକ୍ରମ ସାରି ଟ୍ରାକ୍ଟରରେ ବାଗବୁଡ଼ା ଫେରୁଥିଲେ ଧୁମ୍‌ସା ନୃତ୍ୟ ଦଳର ସଦସ୍ୟ। ମାତ୍ର ଢିପାସାହି ନିକଟର ଟ୍ରାକ୍ଟରଟି ଓଲଟି ଯିବା ଫଳରେ ରାସ୍ତାରୁ ପ୍ରାୟ ୧୫ ଫୁଟ ତଳେ ଥିବା ବିଲକୁ ଖସି ପଡ଼ିଥିଲା | ଟ୍ରାକ୍ଟର ଓଲଟିବା ଫଳରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତେବେ ମୃତକଙ୍କ ମଧ୍ୟରେ ଦେଢ଼ ବର୍ଷର ଶିଶୁ ସମେତ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି ।ସେହିଭଳି ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି ।