ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ । ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି । କିଛି ଦିନ ପୂର୍ବରୁ ଉଭୟ ସଂଘ ଧାରଣାରେ ବସିଥିଲେ । ଏମିତିକି ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କିଛି ଦିନ ପାଇଁ ବନ୍ଦ ରହିଥିଲା । ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲେ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ ।ତେବେ କିଛି ଦିନ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ପରେ ଅଗଷ୍ଟ ୩ ତାରିଖରେ ଖୋଲିଥିଲା । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଥିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ବୋଲି କୁହାଯାଇଥିଲା । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ ବିଏମସି ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ୬ଜଣିଆ ଟିମ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲା ବିଏମସି । ଏଣିକି ମାର୍କେଟ ବିଲ୍ଡିଂ ପରିସରରେ ଆଉ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ବୋଲି କହିଥିଲେ । ଖାଲି ସେତିକି ନୁହେଁ ମାର୍କେଟ୍ ବିଲଡିଂ ଅଂଚଳର ସୁରକ୍ଷା ବ୍ୟବସ୍ଥା, ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ, ସଫେଇ ଏବଂ ପରିଶ୍ରାଗାର ଭଳି ସମସ୍ତ ପ୍ରକାର ଦାୟିତ୍ୱ ଆଗାମୀ ୫ ବର୍ଷ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଅଧିନରେ ରହିବ ବୋଲି କହିଥିଲେ ।