ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ତାଙ୍କ ବୋଲେରୋ ଗାଡିଟିକୁ ଜାଳି ଦେଇଛନ୍ତି ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର ସୁକୁମାର ମଣ୍ଡଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।
ଆଜି ମାଥିଲି-ଗୋଲିଆଗୁଡ଼ାରେ ରାସ୍ତା କାମ ଚାଲିଥିବା ସମୟରେ ୧୫ରୁ ୨୦ ଜଣ ନକ୍ସଲ ପ୍ରକଳ୍ପ ସ୍ଥଳକୁ ଆସିଥିଲେ। ନକ୍ସଲମାନେ ଠିକାଦାର ଶ୍ରୀ ମଣ୍ଡଳଙ୍କୁ ଡାକି ନେଇ ବିଚ୍ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଥିଲେ। ମାତ୍ର ଘଟଣାସ୍ଥଳରେ କାମକରୁଥିବା ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ନକ୍ସଲମାନେ ସେଠାରୁ ଚମ୍ପଟ ମାରିଥିଲେ।

ନକ୍ସଲ ଦମନ ପାଇଁ ରାଜ୍ୟ ସରକାର ନୂଆ ନୂଆ ରଣନୀତି ଆପଣାଉଛନ୍ତି। ବାରମ୍ବାର ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି ପୋଲିସ ବାହିନୀ । ହେଲେ ଏତେ ସବୁ ପରେ ମଧ୍ୟ ଥମିବାକୁ ନାଁ ଧରୁନି ଲାଲ୍ ବାହିନୀର ଲଙ୍କାକାଣ୍ଡ | ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଆଜି ଜିଲ୍ଲାରେ ମୁଣ୍ଡ ଗଡ଼ିବା ପରେ ସେହି ଅଞ୍ଚଳରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି।