ମାଲକାନଗିରି : ମାଲଲକାନଗିରି ଜିଲ୍ଲାର ଗଣପର୍ବ କୁହାଯାଉଥିବା ବଡଯାତ୍ରା ର ଶୁଭାରମ୍ଭ ହୋଇଛି । କେଉଁ ଆବାହମାନ କାଳରୁ ପ୍ରତି ୨ ବର୍ଷରେ ଥରେ ପାଳିତ ହୋଇଆସୁଛି ।
ମାଲକାନଗିରି ଜିଲ୍ଲାର ଏହା ଏକ ପୁରାଣ ପ୍ରସିଦ୍ଧ ଗଣପର୍ବ ଅଟେ । ଭାଗବତ ପୂରାଣ ଅନୁଯାୟୀ ମଗଧର ରାଜା ଜରାସନ୍ଧ ପ୍ରସିଦ୍ଧି ଲାଭ କରିବା ପାଇଁ ଏକ ଲକ୍ଷ ରାଜାଙ୍କୁ ବନ୍ଦୀକରି କାର୍ତ୍ୟାୟନୀଙ୍କ ଠାରେ ବଳିଦେବାକୁ ମନସ୍ତ କରିଥିଲେ ଏବଂ ଛୟାନବେ ହଜାର ରାଜାଙ୍କୁ ବନ୍ଦୀ କରି ସାରିଥିଲେ । ଆଉ ୪୦୦୦ ରାଜାଙ୍କୁ ବନ୍ଦୀ କରିବାକୁ ଥିବା ବେଳେ ଶ୍ରୀକୃର୍ଷ୍ଣ ଖବର ପାଇ ଅର୍ଜୁନ ଓ ଭୀମଙ୍କ ସହାୟତାରେ ଜରାସନ୍ଧଙ୍କୁ ବଧ କରିଥିଲେ । ଫଳରେ ସମସ୍ତ ବନ୍ଦୀରାଜା ମୁକ୍ତି ପାଇଥିଲେ । କିନ୍ତୁ ବଳି ପାଇଁ ଅପେକ୍ଷା କରିଥିବା ଦେବୀ କାର୍ତ୍ୟାୟନୀ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ । ତାଙ୍କର କୋପ ଶାନ୍ତ କରିବା ପାଇଁ ଏହି ତିନି ଠାକୁର ନିଜର ବିଜୟ ଯାତ୍ରାରେ ଦେବୀଙ୍କୁ ସାମିଲ କରିଥିଲେ ଏବଂ ତାଙ୍କୁ ନିର୍ଦ୍ଧାରିତ ବଳି ଦେବା ପାଇଁ ଶ୍ରୀକୃର୍ଷ୍ଣ ପ୍ରତିଶୃତି ବଦ୍ଧ ହୋଇ ମାନ୍ୟମକୋଣ୍ଡାଠାରୁ ମାଲକାନଗିରି ମଧ୍ୟରେ ଏକ ଲକ୍ଷ ପଶୁ ଓ ପକ୍ଷୀ ବଳି ଦେଇଥିଲେ । ଦେବୀ ତାହା ଗ୍ରହଣ କରି ନିଜର କ୍ରୋଧ ପରିତ୍ୟାଗ କରି ସନ୍ତୁଷ୍ଟ ହୋଇ ଅର୍ନ୍ତଃଧ୍ୟାନ ହୋଇଥିଲେ । ଏହାକୁ ମନେରଖିବା ପାଇଁ ପ୍ରତି ୨ ବର୍ଷରେ ବଡଯାତ୍ରା ପାଳନ କରାଯାଇ ଥାଏ ।
ପ୍ରତି ଦୁଇବର୍ଷକୁ ଥରେ ମାଲକାନଗିରି ଜିଳ୍ଲାର ପୂରାଣ ପ୍ରସିଦ୍ଧ ବଡ଼ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି । ଆଜି ସକାଳେ ଏଥିପାଇଁ ତିନି ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନାମରାଜ, ବାଲରାଜ, ପୋତରାଜ ଓ ଦେବୀ ମା ମୁତ୍ୟେଲୁଆମ୍ମାଙ୍କୁ ମାନ୍ୟମକୋଣ୍ଡାଠାରେ ପାରମ୍ପରୀକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଠାକୁର ଏକ ବିମାନ ଯୋଗେ ଆନ୍ଧ୍ର ପ୍ରଦେଶର ପୋଲୁର ଗ୍ରାମ ଅଭିମୂଖେ ବାହାରିଥିଲେ । ଓଡ଼ିଶା ନିକଟସ୍ଥ ସିଲୁରୁ ନଦୀରେ ତିନି ଠାକୁର ନୌକା ବିହାର କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଆନ୍ଧ୍ର ପ୍ରଦେଶର ତାଡକାରେଉ ଠାରେ ପହଂଚିଥିଲେ । ତାଡ଼କା ରାକ୍ଷସୀକୁ ମାରି ସେହି କୁଣ୍ଡରେ ରାମ ଲକ୍ଷ୍ମଣ ସ୍ନାନ କରିଥିବାରୁ ଏହାକୁ ତାଡ଼କାରେଉ କୁହାଯାଉଛି । ସେଠାରେ ପୂଜାର୍ଚ୍ଚନା ପରେ ଠାକୁର ସ୍ନାନ କରି ପବିତ୍ର ହୋଇଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ଭୀଡ଼ ଜମିଥିଲା । ଏହାପରେ ଠାକୁର ପୁଣି ଓଡ଼ିଶା ପୋଲେରୁ ଗ୍ରାମରେ ପୂଜା ପାଇବା ପରେ ସଂଦ୍ଧ୍ୟାରେ ମାନ୍ୟମକୋଣ୍ଡା ଅଭିମୂଖେ ବାହାରିଥିଲେ । ଆସନ୍ତାକାଲି ସକାଳେ ଠାକୁରଙ୍କୁ ପ୍ରଥମ ଅନ୍ନଭୋଗ ପ୍ରଦାନ କରାଯିବ । ଏହାପରେ ଦିନ ତମାମ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ସହ ଭୋଗ ପ୍ରଦାନ କରିବେ ।
ଆସନ୍ତା ୨୪ ତାରିଖ ସକାଳେ ଠାକୁର ମାନ୍ୟମକୋଣ୍ଡାଠାରୁ ବାହାରି ପ୍ରଥମେ ଗୁବଲେରୁ, ବଡ଼ୁଗୁଡ଼ା ଦେଇ କାଲିମେଳାଠାରେ ରାତ୍ରି ଯାପନ କରିବେ । ପରଦିନ ସକାଳୁ ସେଠାରୁ ବହାରି କାଙ୍ଗୁରୁକୋଣ୍ଡାଠାରେ ରାତ୍ରି ଯାପନ କରିବା ପରେ ପ୍ରାତଃ ପୋଟେରୁ ,ଶିଖପାଲ୍ଲୀ ଦେଇ ତମସାଠାରେ ରାତ୍ରି ଯାପନ କରି ଆସନ୍ତା ୨୭ ତାରିଖରେ ମାଲକାନଗିରି ପହଂଚିବାର କାର୍ଯ୍ୟକ୍ରମ ରହିଛି । ମାଲକାନଗିରିଠାରେ ୪ ଦିନ ଧରି ଯାତ୍ରା ପାଳନ ହେବା ପରେ ଆସନ୍ତା ୩୧ ତାରିଖ ସକାଳେ ଠାକୁର ପୁଣି ମାନ୍ୟମକୋଣ୍ଡା ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଏହି ସୁରକ୍ଷା ବ୍ୟବସ୍ଥାକୁ ଜିଲ୍ଲାବାସୀ ବେଶ ଖୁସି ଅନୁଭବ କରିଥିଲେ। ଆସନ୍ତା କାଲିଠାରୁ ମାଙ୍କ ମାଲକାନଗିରି ଅଭିମୁଖର ଯାତ୍ରା ଆରମ୍ଭ ହେବ। ମା ମାଲକାନଗିରି ଠାରେ ଆସନ୍ତା ୨୭ ତାରିଖରେ ପହଞ୍ଚି ମାଲକାନଗିରି ଠାରେ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ମା ପୂଜା ପାଇବେ ତାପରେ ମା ପୁଣି ମାନ୍ୟମକୋଣ୍ଡା ଫେରି ଯିବେ। ମାଲକଙ୍ଗିରଜ ଜିଲ୍ଲା ଏହି ସମୟରେ ଉତ୍ସବମୁଖର ହୋଇଥାଏ।