Odia News Portal

ନକଲି ଚା’ ପରେ ଭେଜାଲ ମିକ୍ସଚର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ବିଭିନ୍ନ ମିକ୍ସଚର୍ ଫ୍ୟାକ୍ଟ୍ରି ଓ ତେଲ ମିଲ୍ ଉପରେ ଚଢାଉ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ, ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି । ବିକାଶ ଜୈନ ନାମକ ଜନୈକ ବ୍ୟକ୍ତି ବିନା ଲାଇସେନ୍ସରେ ମିକ୍ସଚର୍ ଫ୍ୟାକ୍ଟ୍ରି ପରିଚାଳନା କରୁଥିବା ଜଣାପଡିଛି । କିଛି ଦିନ ପୂର୍ବେ କଟକ ସହରରୁ ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ନକଲି ଚା’ପତି ଗୁଣ୍ଡ ବିକ୍ରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ବଲାଙ୍ଗୀର ସହରରେ ବିକ୍ରି ହେଉଛି ଅପମିଶ୍ରିତ ମିକ୍ସଚର। ମିକ୍ସଚରରେ  କ୍ଷତିକାରର ଫୁଡ଼ କଲର ମିଶୁଥିବା ଜଣାପଡ଼ିବା ପରେ କାରଖାନାର ମାଲିକଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ମାମଲା ରୁଜୁ କରିଛି ପୁଲିସ୍‌ ।

ସୂଚନା ଅନୁଯାୟୀ, କଟକ ପରେ ଏବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଭେଜାଲ ସାମଗ୍ରୀ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଢ଼ାଉ ସମୟରେ ମିଳିଛି ଅପମିଶ୍ରିତ ଜିନିଷ। । ୨ଟି ତେଲ ରିପ୍ୟାକିଂ କାରଖାନା ସହ ୩ଟି ମିକ୍ସଚର ତିଆରି କାରଖାନା, ଗୋଟିଏ ମସଲା କାରଖାନାରେ ଚଢ଼ାଉ କରାଯାଇଛି । ମିକ୍ସଚର ପ୍ରସ୍ତୁତିରେ ମିଶୁଛି କେମିକାଲ ଫୁଡ଼ କଲର । ଯାହାକି ଶରୀର ପାଇଁ ବେଶ୍‌ କ୍ଷତିକାରକ।  ଅପମିଶ୍ରିତ କାରଖାନାର ମାଲିକ ବିକାଶ ଜୈନଙ୍କୁ କଣ୍ଟାବାଞ୍ଜି ପୋଲିସ ଅଟକ ରଖିଛି। ତା’ସହ  ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍‌ ।

ସେହିପରି ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ବେଳେ ଏଠାରେ ନକଲି ତେଲ ମହଜୁଦ୍ ଥିବା ଜଣାପଡିଛି ।ଗୋଦାମ ମାଲିକ ଗୋଟିଏ ବ୍ରାଣ୍ଡ ପାଇଁ ଲାଇସେନ୍ସ ପାଇ ୪ ରୁ ୫ଟି କମ୍ପାନୀ ନାଁରେ ଲେବଲ୍ ବ୍ୟବହାର କରି ବାହାରୁ ନକଲି ତେଲ ଆଣି ଅସଲି ନାଁରେ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଛି । ସମାନ ଘଟଣା ଦେଖିବାକୁ ମିଳିଥିଲା ଭାରତ ସେଲକ୍ ଗୋଦାମରେ । ଏଠାରେ ମଧ୍ୟ ବେଆଇନ୍ ଭାବେ ନକଲି ବ୍ରାଣ୍ଡ ସାମଗ୍ରୀ ପ୍ରସ୍ତୁତ ହୋଇ ବିକ୍ରି କରୁଥିବା ଦେଖିବାକୁ ମିଳିଥିବା ଖାଦ୍ୟ ନୀରିକ୍ଷଣ ଅଧିକାରୀ ସୂଚନା ଦେଇଛନ୍ତି ।