Odia News Portal

ଟୁଇନସିଟିକୁ ଫେରିବ ଲକ୍ ଡାଉନ !

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ଉପରେ ନଜର

ଭୁବନେଶ୍ୱର- ଟୁଇନସିଟିକୁ ଫେରିପାରେ ଲକ୍‌ଡାଉନ । କରୋନାର ଗ୍ରାଫ୍ ଉପରକୁ ଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କରୋନା ସମୀକ୍ଷା କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ହଠାତ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା ହେବା ଏହି ଆଶଙ୍କାକୁ ବଢ଼ାଇ ଦେଇଛି । ଏପରିକି ଭୂବନେଶ୍ୱରରେ ଏକ୍ସଆଇଏମବିରେ ୫୦ଜଣ ସଂକ୍ରମିତ ହେବା ଓ କଟକର ଏକ କଲେଜରେ ୨୫ ଜଣ ପଜିଟିଭ୍ ମିଳିଥିବାରୁ କରୋନା ସଂକ୍ରମଣ ଆଶଙ୍କା ପୁଣି ଘାରିଛି ।

ଗଲା ତିନି ଚାରିଦିନ ଧରି କରୋନା ସଂକ୍ରମଣ ବଢ଼ିଥିବା ରିପୋର୍ଟ ଦର୍ଶାଉଛି । ମହାରାଷ୍ଟ୍ର ଓ ଗୁଜୁରାଟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ଓଡିଶାରେ ସେପରି ସ୍ଥିତି ନ ଉପୁଜିବା ପାଇଁ ମୁଖ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ କିମ୍ବା ଲକ୍ ଡାଉନ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜିକୁ ଠିକ୍ ବର୍ଷକ ତଳେ ଜନତା କର୍ଫ୍ୟୁ ଓ ଲକ୍ ଡାଉନ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣ ହାର ୨୦୨୦ ତୁଳନାରେ ଯଦିଓ ଯଥେଷ୍ଟ କମ୍ ଅଛି କିନ୍ତୁ ଭୟ ଓ ଆଶଙ୍କା ଦୂର ହୋଇନି ।

ପୂର୍ବରୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏଇ କିଛିଦିନ ଭିତରେ କରୋନା ପାରଦ ଉପରମୁହାଁ ହେଉଥିବା ବେଳେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଓ ଗଂଜାମରେ କ୍ୱାରେନଟାଇନ ବାଧ୍ୟତାମୂଳକ କରାଯିବାକୁ ଲକ୍ଷ୍ୟ କଲେ, ଭୁବନେଶ୍ୱର ଓ କଟକରେ ଲକଡାଉନ ପରିସ୍ଥିତି ଫେରିପାରେ ବୋଲି ଅନୁମାନ କରାଯାଉଛି ।