Odia News Portal

ଦୀର୍ଘ ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ତେବେ ମନ୍ଦିର ଖୋଲିବା ପୂର୍ବରୁ ଆଜି ମନ୍ଦିର ଚାରିପାଖକୁ ଭଲ ଭାବେ ସାନିଟାଇଜ୍ କରାଯାଇଛି । ତେବେ ମହାପ୍ରଭୁଙ୍କୁ ୯ ମାସ ହେଲା ଦେଖି ନଥିବା ଭକ୍ତଙ୍କ ନିମନ୍ତେ କଟକଣା ମଧ୍ୟରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ନୂଆବର୍ଷକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ସର୍ବସାଧାରଣ ନିମନ୍ତେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ।

ତେବେ ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ଦର୍ଶନ ସୁବିଧା ମିଳିବ । ୬ ତାରିଖ ଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି ।ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜ୍ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି ।

ତେବେ ଦର୍ଶନ ନିମନ୍ତେ ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ । ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ ଭକ୍ତ ।