Odia News Portal

ଲତା ମଙ୍ଗେସ୍କରଙ୍କ ପରଲୋକରେ ୨ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ମହାନ ଗାୟିକା ଲତା ମଙ୍ଗେସ୍କରଙ୍କ ପରଲୋକ ହୋଇଛି। ଆଜି ରତ୍ନ ହରାଇଛି ଭାରତ। ଦାରୁଣ ଦୁଃଖ ଦେଇ ଚାଲିଯାଇଛନ୍ତି ସ୍ୱର କୋଇଲି ଲତା ମଙ୍ଗେସ୍କର। ନେତା ଅଭିନେତା କିବା ସାଧାରଣ ଜନତା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍‌ପିଟାଲରେ ୯୨ ବୟସରେ ତାଙ୍କର ପରଲୋକ ହୋଇଛି। କୋଭିଡ୍‌ ପଜିଟିବ୍ ହେବା ପରେ ଜାନୁଆରୀ ୮ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲତାଙ୍କ ବିୟୋଗରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ପାଇଁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ରଖାଯିବ। ଆଜି ଶିବାଜୀ ପାର୍କର ତାଙ୍କର ଅନ୍ତିମ ସଂସ୍କାର ହେବ।

ସୂଚନା ଅନୁସାରେ, ଲତାମଙ୍ଗେସ୍କରଙ୍କ ପାର୍ଥୀବ ଶରୀରକୁ ପେଡାର ରୋଡ୍ ସ୍ଥିତ ତାଙ୍କ ବାସଭବନ ପ୍ରଭୁ କୁଞ୍ଜରେ ଦିନ ୧୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ସେଠାରୁ ୪.୩୦ଟାରେ ଶିବାଜୀ ପାର୍କରେ ଅଣାଯାଇ ସନ୍ଧ୍ୟା ୫ଟାରେ ପୂରା ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ।  

ଲତା ମଙ୍ଗେସ୍କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶହ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି।