Odia News Portal

କରୋନା ଯୁଦ୍ଧରେ ହାରିଗଲେ ଯୁବ ସମାଜସେବୀ

ଢ଼େଙ୍କାନାଳ: ମହାମାରୀ ସମୟରେ ଲୋକଙ୍କ ପାଖକୁ ଯାଉଥିଲେ । ସଚେତନତା କରାଇବା ସହ ବିଭିନ୍ନ ଖାଦ୍ୟ ପଦାର୍ଥ ବାଣ୍ଟୁଥିଲେ । କିନ୍ତୁ ଶେଷରେ କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗାଁର ଯୁବ ସମାଜସେବୀ ଲାଲିପ କୁମାର ବେହେରାଙ୍କ ଦେହାନ୍ତ ହୋଇଛି । କରୋନାରେ ସଂକ୍ରମିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସେ । ୩୮ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି ।

କରୋନା ସମୟରେ ଜଣେ ସମାଜସେବୀ ଭାବେ ଅନେକ କରୋନା ଆକ୍ରାନ୍ତଙ୍କୁ ନିଜସ୍ୱ ଫାର୍ମ ହାଉସରେ ଗୃହ ସାଙ୍ଗରୋଧ କରାଇବା ନିଜ ଖର୍ଚରେ ରୋଗୀ ମାନଙ୍କର ରହିବା, ଖାଇବା ଓ ଔଷଧ ବ୍ୟବସ୍ଥା କରିବା ସହ ସୁସ୍ଥ କରାଇ ଛାଡିଛନ୍ତି । ସ୍ଥାନୀୟ ଅଂଚଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଆସୁଥିଲେ । ଜଣେ ଦକ୍ଷ ଫୁଟବଲ ଖେଳାଳୀ, କ୍ରୀଡା ସଂଗଠକ ଓ ମ୍ୟାଚ ରେଫରୀ ଭାବେ ସ୍ଥାନୀୟ ଅଂଚଳରେ ସୁନାମ ଅର୍ଜନ କରିପାରିଥିଲେ ।ତାଙ୍କର ବିୟୋଗରେ, ସ୍ଥାନୀୟ ମହାବୀର କ୍ଲବ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରାଯାଇ, ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ୨ ମିନଟ ନିରବ ପ୍ରାର୍ଥନା କରାଯିବା ସହ, ଶୋକସନ୍ତପ୍ତ ପାରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ ପୂର୍ବକ ଶୋକ ବାର୍ତ୍ତା ପାଠ କରାଯାଇଥିଲା ।