କୋରାପୁଟ: କୋଟିଆରେ ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ନିର୍ବାଚନ ବନ୍ଦ ପାଇଁ କୋରାପୁଟ ଜିଲ୍ଲାପାଳ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଆନ୍ଧ୍ର ନିଜ ଜିଦ୍ରେ ରହିଛି ଅଟଳ । ଆନ୍ଧ୍ର ଦ୍ୱାରା ଗଠିତ ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ ।
ଆନ୍ଧ୍ର ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଏକ ନିର୍ମାଣଧୀନ ଚର୍ଚ୍ଚରେ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି | ଏତେ ସବୁ ବାଦବିବାଦ ସତ୍ୱେ ଷଡଯନ୍ତ୍ରରୁ ଓହରି ନାହିଁ ପଡୋଶୀ ରାଜ୍ୟ ଆନ୍ଧ୍ର । ମାମଲା ନ୍ୟାୟାଳୟଙ୍କ ପାଖରେ ବିଚାରଧିନ ଥିବାବେଳେ କଡା ସୁରକ୍ଷା ଭିତରେ କୋଟିଆରେ ମତଦାନ ଚାଲିଛି ।

ଶୁକ୍ରବାର କୋଟିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବାବ ତଲବ ନୋଟିସ ଜାରି କରିଛନ୍ତି । ଓଡିଶାର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ରର ମତାମତ ଲୋଡିଛନ୍ତି । ଏହାସହ ନିର୍ବାଚନକୁ ନେଇ ମଧ୍ୟ ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର କୋଟିଆ ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାନୁଯାୟୀ, କୋଟିଆର ୨୧ଟି ଗାଁ ଓ ୭ଟି ହାମଲେଟକୁ ମିଶାଇ ୩ଟି ପଞ୍ଚାୟତ କରିଛି । ଏଗୁଡିକ ହେଲା ଗଞ୍ଜେଇ ପଦର, ଫଗୁଣସିନେରୀ ଓ ପାଟୁସିନେରୀ । ଓଡିଶାର ଏହି ଗାଁ ଗୁଡିକର ନାଁ ବି ପରିବର୍ତ୍ତନ କରିଛି ଆନ୍ଧ୍ର । ଗଞ୍ଜେଇ ପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀ ଥିବାରୁ ଏଠାରେ ଆଜି ଭୋଟ୍ ଗ୍ରହଣ କରାଉଛି ଆନ୍ଧ୍ର ସରକାର । ସୀମାକୁ ନେଇ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ୨ ରାଜ୍ୟର ପରିଚୟ ପତ୍ର ଲୋକଙ୍କ ପାଖରେ ରହିଛି ।