Odia News Portal

କାର୍ଯ୍ୟ ସମ୍ପନ୍ନ ପାଇଁ କେରଳ ସ୍ଥିତ ମନ୍ଦିରରେ ନିୟୋଜିତ ହେଲା ପ୍ରଥମ ‘ଯାନ୍ତ୍ରିକ ହାତୀ’

କ୍ରିୟାକଳାପ ସମ୍ପନ୍ନ ନିମନ୍ତେ କେରଳର ତ୍ରିସୁର ଜିଲ୍ଲାସ୍ଥିତ ଇରିଞ୍ଜାଡ଼ାପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ପ୍ରକୃତ ହାତୀ ଆକାରର ଗୋଟାଏ ‘ଯାନ୍ତ୍ରିକ ହାତୀ’ (ମେକାନିକାଲ୍‌ ଏଲିଫ୍ୟାଣ୍ଟ୍‌) ନିୟୋଜନ କରାଯାଇଛି।

ଅଭିନେତ୍ରୀ ପାର୍ବତୀ ତିରୁବୋତୁଙ୍କ ପୃଷ୍ଠପୋଷକତାରେ ‘ପେଟା ଇଣ୍ଡିଆ’ ଉକ୍ତ ହାତୀଟିକୁ ମନ୍ଦିରକୁ ଉପହାର ଦେଇଛି। ଜୀବନ୍ତ ଦିଶୁଥିବା ଏହି ଯାନ୍ତ୍ରିକ ହାତୀର ନାମ ରଖାଯାଇଛି ଇରିଞ୍ଜାଡ଼ାପିଲ୍ଲୀ ରମଣ। ଏହାର ଉଚ୍ଚତା ସାଢ଼େ ଦଶ ଫୁଟ୍‌ ଓ ଓଜନ ୮୦୦ କିଲୋ। ଏହି ହାତି ୪ଜଣଙ୍କୁ ପିଠିରେ ବସାଇ ନେଇ ପାରିବ। ଏହାର ମୁଣ୍ଡ, ଆଖି, ପାଟି, କାନ ଓ ଲାଞ୍ଜ ସବୁ ବିଦ୍ୟୁତ୍‌ଚାଳିତ।

କ୍ରିୟାକଳାପ, ଉତ୍ସବ ଅଥବା ଅନ୍ୟ କୌଣସି କାର୍ଯ୍ୟ ନିମନ୍ତେ ହାତୀ କି, ଅନ୍ୟ କୌଣସି ଜନ୍ତୁ ପାଳିବେ ନାହିଁ କି, ଭଡ଼ାରେ ଆଣିବେ ନାହିଁ ବୋଲି ମନ୍ଦିର ‌ତରଫରୁ ଘୋଷଣା କରାଯିବା ପରେ ‘ପେଟା’ ଇଣ୍ଡିଆ ଏହି ‘ରୋବଟିକ୍‌ ହାତୀ’ ନିର୍ମାଣ କରାଇଛି।

ରବିବାର ଦିନ ଇରିଞ୍ଜାଡ଼ାପିଲ୍ଲୀ ରମଣର ‘ନାଦାୟିରୁତାଲ୍‌’ (ଈଶ୍ବରକୁ ହସ୍ତୀ ପ୍ରଦାନ ଉତ୍ସବ) ଅନୁଷ୍ଠିତ ହୋଇଥିଲା।

ଜାରି କରିଥିବା ବିବୃତିରେ ‘ପେଟା’ ଇଣ୍ଡିଆ କହିଛି, ବନ୍ଦୀ କରି ରଖାଯିବାଜନିତ ହତାଶା ଯୋଗୁଁ ହାତୀମାନେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ସେମାନ‌େ ବନ୍ଧନ ଛିଡ଼ାଇ ଧାଆଁ ଦୌଡ଼ କରୁଥିବାରୁ ଜନସାଧାରଣ ଅସୁବିଧାରେ ପଡ଼ିବା ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଓ ଘରଦ୍ବାର କ୍ଷତିଗ୍ରସ୍ତ ହେଉଛି। ଗତ ୧୫ ବର୍ଷରେ କେରଳରେ ବନ୍ଦୀ ଥିବା ହାତୀମାନେ ୫୨୬ଜଣ ଲୋକଙ୍କୁ ମାରି ସାରିଲେଣି ବୋଲି ‘ହେରିଟିଜ୍‌ ଆନିମଲ୍‌ ଟାସ୍କ୍‌ ଫୋର୍ସ’ ରିପୋର୍ଟ କରିଛି।