Odia News Portal

୩ ପଦବୀରେ ଜେପି ନଡ୍ଡା: ଏବେ ହେଲେ ରାଜ୍ୟସଭାର ନେତା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ତାଙ୍କୁ ରାଜ୍ୟସଭାର ଗୃହର ନେତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ଭୂମିକାରେ ନଡ୍ଡା ପୀୟୁଷ ଗୋୟଲଙ୍କ ସ୍ଥାନ ନେଇଛନ୍ତି। ନଡ୍ଡା ବର୍ତ୍ତମାନ ସମୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେ ଚଳିତ ମାସରେ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଫଳରେ ଏବେ ନଡ୍ଡା ୩ଟି ପଦବୀରେ ରହିଛନ୍ତି। ଅନୁମାନ କରାଯାଉଥିଲା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଦାୟିତ୍ୱ ଅନ୍ୟ କାହାକୁ ଦିଆଯିବ। କିନ୍ତୁ, ଏବେ ଚର୍ଚ୍ଚା ହେଉଛି ନଡ୍ଡା ଦଳର ଅଧ୍ୟକ୍ଷ ରହିବେ।

ବିଜେପିର ନିୟମ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟରେ ସାଂଗଠନିକ ନିର୍ବାଚନର ୫୦ ପ୍ରତିଶତ ସମାପ୍ତ ହେବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇପାରିବେ। ଏହା ହେବା ପାଇଁ ପ୍ରାୟ ୬ମାସ ସମୟ ଲାଗିପାରେ ବୋଲି କୁହା ଯାଉଛି।ସୂଚନାଯୋଗ୍ୟ, ଅନେକ ଦାୟିତ୍ୱ ତୁଲାଉଥିବା ଜେପି ନଡ୍ଡା ହିମାଚଳ ପ୍ରଦେଶରୁ ୨୦୧୨ ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଦୁଇ ବର୍ଷ ପରେ, ଅର୍ଥାତ୍ ୨୦୧୪ ରେ, ତାଙ୍କୁ ବିଜେପିର ସଂସଦୀୟ ବୋର୍ଡର ସଦସ୍ୟ କରାଯାଇଥିଲା।