ଗୋଆ: ସବୁ ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ଶେଷରେ ବୁମ୍ରା ୨୦୧୪ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାନେସାନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ କାର୍ଯ୍ୟକ୍ରମ ଶେଷ ହୋଇଛି। ଏ ସମ୍ପର୍କରେ ବୁମ୍ରା ନିଜେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି।

ଫଟୋରେ ବର ଓ ବଧୂ ବେଶରେ ଉଭୟ ବେଦୀରେ ବସିଛନ୍ତି। ସେହିପରି ପରସ୍ପରକୁ ରୋମାଣ୍ଟିକ ଅନ୍ଦାଜରେ ଚାହିଁ ରହିଛନ୍ତି ଏହି ଦୁଇ ଯୋଡି।ତେବେ ବୁମ୍ରା ଫଟୋ ଶେୟାର କରି ଲେଖିଛନ୍ତି, “ପ୍ରେମ, ଯଦି ଏହା ଆପଣଙ୍କୁ ଯୋଗ୍ୟ ଭାବିବ, ତା’ହେଲେ ସେ ଆପଣମାନଙ୍କୁ ଆଗକୁ ନେଇଯିବ। ପ୍ରେମ ଜରିଆରେ ଆମେ ଏକାଠି ହୋଇ ଆଗକୁ ବଢ଼ିଛୁ ଓ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜିର ଦିନ ଆମ ଜୀବନର ସୁବଠାରୁ ଖୁସିର ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମେ ଆମର ବାହାଘର ଓ ଖୁସିର ଦିନ ଆପଣମାନଙ୍କ ସହ ଶେୟାର କରୁଛୁ। ଏଥିପାଇଁ ଆମେ ବହୁତ ଖୁସି। ଯଶପ୍ରୀତ ଓ ସଞ୍ଜନା।”

ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ବୁମ୍ରା ଓ ସଞ୍ଜନାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଟ୍ୱିଟ କରି ଉଭୟଙ୍କୁ ବାହାଘରର ଶୁଭେଚ୍ଛା ଜଣାଇଛି। ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିଲେ। କରୋନା କଟକଣା ଯୋଗୁ ବୁମ୍ରା କାହାକୁ ବି ବିବାହ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିନାହାନ୍ତି।ତେବେ ସଞ୍ଜନା ହେଉଛନ୍ତି ଜଣେ ସ୍ପୋର୍ଟସ ଆଙ୍କର। ସେ ଅନେକ ଟୁର୍ଣ୍ଣାମେଣ୍ଟରେ ଆଙ୍କରିଂ କରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବ ସହ ଷ୍ଟାର ସ୍ପୋର୍ଟ୍ସ ସହ ମଧ୍ୟ ଜଡିତ। ସଞ୍ଜନା ଆଇସିସି ବିଶ୍ୱକପ ୨୦୧୯ରୁ ଆଇପିଏଲ ମଧ୍ୟ ହୋଷ୍ଟ କରିସାରିଛନ୍ତି। ସେ କୋଲକାତା ନାଇଟ୍ ରାଇଡ଼ର୍ସର ବି ଆଙ୍କର। ସେ ୨୦୧୩ରେ ଫେମିନା ଗର୍ଜିୟସ୍ ଟାଇଟଲ୍ ଜିତିଥିଲେ।

ଅନ୍ୟପକ୍ଷରେ ଭାରତ ପାଇଁ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ବୁମ୍ରା ବିଶ୍ୱର ଜଣେ ଦକ୍ଷ ବୋଲର। କ୍ରିକେଟର ସବୁ ଫର୍ମାଟରେ ବୁମ୍ରା ନିଜର ଯାଦୁ ଦେଖାଇଛନ୍ତି। ଆଇସିସି ଦିନିକିଆ ଓ ଟେଷ୍ଟ ରାଙ୍କିଙ୍ଗରେ ସେ ବର୍ତ୍ତମାନ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଦୀର୍ଘ ଦିନ ହେଲାଣି ସେ ଭାରତ ପାଇଁ ଟି-୨୦ରେ ନଜର ଆସୁ ନଥିବାରୁ ଏହି ଫର୍ମାଟରେ ତାଙ୍କ ବୋଲିଂ ରାଙ୍କିଙ୍ଗ ୧୫କୁ ଖସି ଯାଇଛି।