Odia News Portal

କାଳିଆପାଣିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଲଜ୍ୟା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାରେ କାଳିଆପାଣି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପୃଷ୍ଟି ସମେତ ରବି, ସିଲୁ ଓ ବବଲୁକୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତଦୁଇ ଛାତ୍ରୀ ବୃତ୍ତି ଅର୍ଥ ପାଇବା ଆଶାରେ ପୁରୁଷ ସହପାଠୀଙ୍କ ସହ ବ୍ରାହ୍ମଣୀପାଳ ଯାଇଥିଲେ। ସେଠାରୁ ଫେରି ଦୁହେଁ ଡୁବୁରି ଆସିଥିଲେ । ଡୁବୁରିରୁ ବସ୍‌ ଯୋଗେ ଉଭୟ କାଳିଆପାଣି ପହଞ୍ଚିଲାବେଳକୁ ରାତି ୮ଟା ହୋଇ ଯାଇଥିଲା। ଦୁହେଁ ବଜାରରୁ ପୋଷାକ କିଣାକିଣି କରି ଟାଟା ମେନଗେଟ୍‌ ସମ୍ମୁଖ ଏକ ଜଳଖିଆ ଦୋକାନରେ ରାତ୍ର‌ ଭୋଜନ କରିଥିଲେ। ଏଠୁ ପାଖାପାଖି ୪ କିଲୋମିଟର ଦୂର କଲରଙ୍ଗି ଗାଁର ପୁରୁଷ ସହପାଠୀଙ୍କ ଘରକୁ ଚାଲିଚାଲି ଯିବା ସମୟରେ ଖଣିଅଞ୍ଚଳର କଲରଙ୍ଗୀ ନିକଟରେ ସେମାନଙ୍କୁ କିଛି ଯୁବକ ପିଛା କରୁଥିଲେ ।

ଯାହାକୁ ଜାଣିବା ପରେ ନାବାଳିକା ଜଣଙ୍କ ଘଟଣାସ୍ଥଳରୁ ତୁରନ୍ତ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସମ୍ପୃକ୍ତ ଚାରିଜଣ ଦୁର୍ବୃତ୍ତ ନିଛାଟିଆ ରାସ୍ତାରେ ଅଟକାଇ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଅସହାୟ ଅବସ୍ଥାରେ ନାବାଳିକା ଜଣକ ନିରୁପାୟ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରକୁ ଦୌଡ଼ି ଦୌଡ଼ି ଆସିଥିଲେ । ପୀଡ଼ିତାଙ୍କ ଅବସ୍ଥା ଦେଖି ଗୃହରକ୍ଷୀ ଜଣକ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ। ଥାନାକୁ ଖବର କରିଥିଲେ । ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଏସ୍ଆଇ ବିଭୂତି ଭୂଷଣ ମହାପାତ୍ର ଓ ମନୋରଞ୍ଜନ ସେଠୀ ସଦଳବଳ ତୁରନ୍ତ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

ରାତିସାରା ବିଭିନ୍ନ ସ୍ଥାନରେ ଚଢାଉ କରି ଚାରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ ଓଆଇଏସଏଫ କାଳିଆପାଣି ୟୁନିଟରେ ରୋଷେୟା ଭାବେ କାମ କରୁଥିବା ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା ଓରଫ୍ ବବଲୁ, ଉମେଶ ଚନ୍ଦ୍ର ମହାନ୍ତ ଓରଫ୍ ସିଲୁ ଓ ରବି ନାଏକ ନାମକ ୪ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାର ସୂଚନା ମିଳିଛି।