ଭୁବନେଶ୍ୱର: ପୋଲିସ୍ ବିଭାଗରେ ୩୩ ବର୍ଷ କାମ କରିବା ପରେ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇ.ପି.ଏସ୍ ସତ୍ୟଜିତ ମହାନ୍ତି ଆଜି ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୋଲିସ୍ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୧୯୮୮ ବ୍ୟାଚର ଆଇ.ପି.ଏସ୍ ଅଫିସର ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ୱ ତୁଲାଇଛନ୍ତି । ରବିବାର ଓଡ଼ିଶା ପୋଲିସ ସେବାରୁ ଅବସର ନେବା ପରେ ସୋମବାର ଲୋକସବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନିଜର ୩୩ ବର୍ଷ ବୃତ୍ତିଗତ ଜୀବନକାଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜ ମାନଙ୍କରେ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଉପ ମହାନିରୀକ୍ଷକ ଏବ ଆରକ୍ଷୀ ମହାନିରୀକ୍ଷକ ଭାବ ଅବସ୍ଥାପିତ ହୋଇ ସଫଳତା ପୂର୍ବକ ଦାୟିତ୍ବ ନିର୍ବାହ କରିଛନ୍ତି । ଏହାଛଡା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ, ରାଜ୍ୟ ପୋଲିସ ଓ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବ ଟୁଇନ ସିଟିର କମିଶନର ଭାବେ କାର୍ଯ୍ୟ କରିଛନ୍ତି ।ଡିଜି ପାହ୍ୟାକୁ ପଦୋନ୍ନତି ହୋଇ କାରାଗାର ମହାନିର୍ଦ୍ଦେଶକ, ଓ ନେର୍ଦ୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୋଲିସ୍ ଉଲ୍ଲେଖନୀୟ ସେବା ପଦକ, ପୋଲିସ୍ ବିଶିଷ୍ଟ ସେବା ପଦକ ମଧ୍ୟ ମିଳିଛି ।
ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସତ୍ୟଜିତ ମହାନ୍ତି କହିଛନ୍ତି, OPSCର ଯେଉଁ ପରୀକ୍ଷା ହେଉଛି ତାହା ଯେପରି ରେଗୁଲାର ହୋଇପାରିବ ସେଥିପ୍ରତି ଧ୍ୟାନ ଦେବି। ବହୁ ଡାକ୍ତର, ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ସେସବୁ ପୂରଣ କରି ଚିକିତ୍ସା ଭିତ୍ତିଭୂମି ସୁଦୃଢ କରାଯିବ। ଏହି ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ ଲାଗି ଚେଷ୍ଟା କରାଯିବ।