Odia News Portal

ପିଙ୍କ ବଲ ଟେଷ୍ଟ ଖେଳିବ ଭାରତୀୟ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ: ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ମହିଳା । ଏହାପରେ ଏହି ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମଥର ପାଇଁ ପିଙ୍କ ବଲ ଟେଷ୍ଟ ମଧ୍ୟ ଖେଳିବ । ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ଏହି ଡେ ନାଇଟ ମ୍ୟାଚ ଖେଳିବ । ତେବେ ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ପ୍ରଦାନ କରିଛନ୍ତି ।

ଶାହା ଆଜି କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ବର୍ଷ ଶେଷରେ ପିଙ୍କ ବଲ ଟେଷ୍ଟ ସହିତ ଅଷ୍ଟ୍ରେଲିଆରେ ଡେ ନାଇଟ ମ୍ୟାଚ ଖେଳିବ। ମହିଳା କ୍ରିକେଟ୍ କୁ ପ୍ରୋତ୍ସାହିତ କରିବା ପାଇଁ ଏହା ଭାରତର ରଣନୀତିର ଏକ ଅଂଶ | ଶାହା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି କହିଛନ୍ତି ଯେ କ୍ରିକେଟ୍ ଆଗକୁ ବଢ଼ାଇବା ପାଇଁ ମୋର ପ୍ରତିବଦ୍ଧତାକୁ ନେଇ ମୁଁ ଆନନ୍ଦିତ ଯେ ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଡେ ନାଇଟ ମ୍ୟାଚ ଖେଳିବ।

ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ୨୦୦୬ ମସିହାରେ ଖେଳିଥିଲା ।ଭାରତ-ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ମୋଟ ୯ଟି ଟେଷ୍ଟ ମ୍ୟାଚ ହୋଇଛି । ଯେଉଁଥିରେ ଭାରତ ଗୋଟିଏ ବି ମ୍ୟାଚ ଜିତିନି । ଅଷ୍ଟ୍ରେଲିଆ ୪ଟି ମ୍ୟାଚରେ ବିଜୟୀ ହୋଇଥିଲା ବେଳେ ୫ଟି ମ୍ୟାଚ ଡ୍ର ରହିଛି । ଉଭୟ ଦଳଙ୍କ ମଧ୍ୟରେ ୧୯୭୭ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳ ହୋଇଥିଲା ।