ଅହମ୍ମଦାବାଦ : ପ୍ରଥମେ ଅଷ୍ଟ୍ରେଲିଆ ଓ ଏବେ ଇଂଲଣ୍ଡକୁ ହରାଇ ଭାରତ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ଚତୁର୍ଥ ଟେଷ୍ଟ ଫଳାଫଳ ଆସିବା ପରେ ଭାରତ ଏହି ବଡ ସଫଳତା ହାସଲ କରିଛି । ପ୍ରଥମ ଇଂନିସ ଭଳି ଦ୍ୱିତୀୟ ଇଂନିସରେ ଅଶ୍ୱିନ-ଅକ୍ଷର ଯୋଡି କମାଲ କରିଛନ୍ତି । ଉଭୟ ବୋଲର ଇଂଲଣ୍ଡର 10ଟି ଯାକ ୱିକେଟ୍ ପୋଛିନେବାରୁ ଇଂଲଣ୍ଡ ଇନିଂସ୍ ଓ ୨୫ ରନରେ ହାର ମାନିଛି । ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିକକୁ ୩-୧ରେ ଜିତି ନେଇଛି। ଟେଷ୍ଟ ଚାମ୍ପିୟନଶିପରଫାଇନାଲରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହେବ। ରିଷଭ ପନ୍ତ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଓ ଅଶ୍ୱିନ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ବିବେଚିତ ହୋଇଛନ୍ତି ।

ଇଂଲଣ୍ଡର ୨୦୫ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ୍ ଆଗରେ ମୁଣ୍ଡ ନୂଆଁଇଥିଲା ଇଂଲଣ୍ଡ। ଯାହା ଫଳରେ ଇଂଲିଶ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ଅକ୍ଷର ୪୮ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୭ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ଇଂଲଣ୍ଡର ଟପ୍ ସ୍କୋରର ଥିଲେ ଡାନ୍ ଲରେନ୍ସ, ଯିଏ ୫୦ ରନର ଇନିଂସ୍ ଖେଳିଛନ୍ତି।
ପ୍ରଥମ ଇନିଂସରେ ୧୬୦ ରନରେ ପଛୁଆ ଥିବା ଇଂଲଣ୍ଡ ପାଇଁ ଆରମ୍ଭ ଭଲ ରହିନଥିବା ବେଳେ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ ଅଶ୍ୱିନ୍। ଇଂଲଣ୍ଡ ଇନିଂସର ପଞ୍ଚମ ଓଭରରେ ଚତୁର୍ଥ ବଲରେ ଜାକ୍ କ୍ରଲୀ (୫) ଓ ପଞ୍ଚମ ବଲରେ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଆଉଟ୍ କରି ଅଶ୍ୱିନ୍ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ହ୍ୟାଟ୍ରିକ୍ ବଲକୁ ଜୋ ରୁଟ୍ ସହଜରେ ଖେଳିନେଇଥିଲେ। ଏହା ପରେ ଅକ୍ଷର ପଟେଲ ନିଜର କମାଲ୍ ଦେଖାଇଥିଲେ। ଅକ୍ଷର ପ୍ରଥମେ ଡମ୍ ସିବଲେ (୩) ଏବଂ ପରେ ବେନ୍ ଷ୍ଟୋକ୍ସ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

କ୍ୟାପଟେନ୍ ରୁଟ୍ ଧୈର୍ଯ୍ୟ ଓ ଓଲି ପୋପ୍ ପାଖାପାଖି ୧୧ ଓଭର୍ ବ୍ୟାଟିଂ କରି ଟିମକୁ ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଭାଙ୍ଗିଥିଲେ ଅକ୍ଷର। ଅକ୍ଷରଙ୍କ ବଲରେ ପୋପ୍ (୧୫) ଆଗକୁ ଚଢ଼ି ମାରିବା ପ୍ରୟାସ କରିଥିଲେ, କିନ୍ତୁ ୱିକେଟକିପର ଋଷଭ ପନ୍ତ ଚତୁରତାର ସହ ତାଙ୍କୁ ଷ୍ଟମ୍ପିଂ କରିଥିଲେ। ରୁଟ୍ ବ୍ୟକ୍ତିଗତ ୩୦ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୂ ଆଉଟ୍ ହୋଇଥିଲେ। ରୁଟ୍ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ ହେଁ, ସେଥିରେ ସେ ବିଫଳ ହୋଇଥିଲେ।
ଡାନ୍ ଲରେନ୍ସ ଓ ବେନ୍ ଫୋକ୍ସ ସପ୍ତମ ୱିକେଟ୍ ପାଇଁ ୪୪ ରନର ଭାଗିଦାରୀ କରିଥିଲେ, କିନ୍ତୁ ତାହା ଦଳକୁ ପରାଜୟରୁ ରୋକିବା ପାଇଁ ଯଥେଷ୍ଟ ନଥିଲା। ଫୋକ୍ସ ୧୩ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡମ୍ ବେସ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲରେନ୍ସ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ ଶେଷକ୍ରମରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଜ୍ୟାକ୍ ଲିଚ ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ୧ ରନ୍ କରି ଅପରାଜିତ ଥିଲେ।
ଏହା ପୂର୍ବରୁ ତୃତୀୟ ଦିବସରେ ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୯୪/୭ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ଇଂଲିଶ ଟିମର ବୋଲରଙ୍କୁ ନୟାନ୍ତ କରିଥିଲେ। ସୁନ୍ଦର ଓ ଅକ୍ଷର ସପ୍ତମ ୱିକେଟ୍ ପାଇଁ ୧୦୬ ରନର ଭାଗିଦାରୀ କରି ଭାରତକୁ ବଡ଼ ଅଗ୍ରଣୀ ଅଭିମୁଖେ ନେଇଥିଲେ। ଅକ୍ଷର ୪୩ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍ ଆଉଟ୍ ହୋଇଥିଲେ।

ସୁନ୍ଦରଙ୍କ ପାଖରେ ଶତକ ମାରିବା ପାଇଁ ଭଲ ସୁଯୋଗ ରହିଥିଲେ ହେଁ ତାଙ୍କୁ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ଅକ୍ଷରଙ୍କ ଆଉଟ୍ ହେବାର ପରବର୍ତ୍ତୀ ଓଭରରେ ହିଁ ଭାରତ ତା’ର ଶେଷ ଦୁଇ ୱିକେଟ୍ ହରାଇଥିଲା। ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିଲେ। ସୁନ୍ଦର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୭୪ ବଲରେ ୧୦ ଚୌକା ଓ ୧ ଛକା ସହ ୯୬ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ୩ଟି ଓ ଜ୍ୟାକ୍ ଲିଚ୍ ୨ଟି ୱିକେଟ୍ ନେଇଥିଲେ।