Odia News Portal

ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ୍ ସିରିଜ୍‌

ବୁଧବାର ଠାରୁ ଏଠାକାର ଜହୁର୍ ଅହମ୍ମଦ ଚୌଧୁରୀ ଷ୍ଟାଡିୟମ୍‌ଠାରେ ଭାରତ ଓ ବାଂଲାଦେଶ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହେଉଛି । ଏହି ସିରିଜ୍‌ରେ ବିଜୟ ହାସଲ କରି ଭାରତ ଆସନ୍ତା ଜୁନ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ପାଇଁ ଆଶା କାଏମ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ଥିôବାରୁ ପ୍ରଥମ ଟେଷ୍ଟ୍‌ରେ ଖେଳିପାରିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲ୍ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାଂଲାଦେଶ ଘରୋଇ ମାଟିରେ ଏକ ଭିନ୍ନ ଦଳ ଭାବେ ନିଜକୁ ପ୍ରମାଣିତ କରିଆସିଥିବାରୁ ପ୍ରଥମ ଟେଷ୍ଟ୍‌ରେ ବିଜୟୀ ହେବା ରାହୁଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ । ସମ୍ପ୍ରତି ଭାରତ ଡବ୍‌ଲ୍ୟୁଟିସି ଟେବଲ୍‌ରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଉପରେ ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ଶ୍ରୀଲଙ୍କା ଦଳ ରହିଛନ୍ତି । ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଆଲୋଚ୍ୟ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ସହ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ୪ଟିଯାକ ଟେଷ୍ଟ୍ ଜିତିବାକୁ ପଡ଼ିବ । ଏଠାକାର ପିଚ୍‌ଟି ସାଦାରଣତଃ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସୁହାଇଆସିଛି । ତେବେ ପିଚ୍ ପୁରୁଣା ହେଲେ ଏଥିରୁ ସ୍ପିନର୍‌ମାନେ ମଧ୍ୟ ଭରପୂର ଫାଇଦା ନେଇପାରିବେ । ମ୍ୟାଚ୍‌ରେ ଘରୋଇ ଦଳ ବିଜୟ ପାଇଁ ନିଶ୍ଚିତ ଭାବେ ଫେବରିଟ୍ ରହିବ । ଅଦ୍ୟାବଧି ଏହି ଟିମ୍ ଯଦିଓ ଭାରତକୁ ଟେଷ୍ଟ୍ କ୍ରିକେଟ୍‌ରେ ପରାସ୍ତ କରିପାରିନାହିଁ, ତଥାପି ରୋହିତ, ଯଶପ୍ରୀତ୍ ବୁମରା୍‌, ମହମ୍ମଦ ଶମି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଫଳାଫଳ ଯେ ବଦଳି ନ ଯିବ, ତା’ କିଏ କହିବ । ଏଠାକାର ପିଚ୍‌ରେ ଜାଡେଜାଙ୍କ ଅନୁପସ୍ଥିତି ବିଶେଷ ଭାବେ ଅନୁଭୂତ ହେବ । ବିଗତ ଦିନରେ ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଯୋଡ଼ି ଏସୀୟ ମହାଦେଶ ପିଚ୍‌ରେ ସବୁବେଳେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଆସିଛନ୍ତି । ତେବେ ଜାଡେଜାଙ୍କ ଅନୁପସ୍ଥିତିରେ ଅଶ୍ୱିନ୍ ଅକ୍ଷର ପଟେଲ୍‌ଙ୍କୁ ସାଥୀ କରି ବାଂଲାଦେଶ ଉପରେ ଚାପ ପ୍ରୟୋଗ ପାଇଁ ଉଦ୍ୟମ କରିବେ । ମ୍ୟାଚ୍‌ରେ ଟିମ୍ କମ୍ବିନେସନ୍ କିପରି ରହିବ, ତାହା ଦେଖିବାର କଥା । ବିଶେଷକରି ଅଧିନାୟକ ରାହୁଲ୍ ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ପଞ୍ଚମ ସ୍ପେଶାଲିଷ୍ଟ୍ ବୋଲର୍ ଭାବେ ସ୍ପିନର୍ କିମ୍ବା ପେସର୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବେ, ତାହା ଟସ୍ ପରେ ଜଣାପଡ଼ିବ । ଯଦି ପଞ୍ଚମ ସ୍ପେଶାଲିଷ୍ଟ୍ ବୋଲର୍ ଭାବେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ସ୍ପିନର୍‌ଙ୍କୁ ଚୟନ କରେ, ତା’ହେଲେ ବାମହାତୀ ସ୍ପିନର୍ ସୌରଭ କୁମାରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିବ । ଗତ ବାଂଲାଦେଶ-ଏ’ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଅନ୍‌ଅଫିସିଆଲ୍ ଟେଷ୍ଟ୍ ସିରିଜ୍‌ରେ ସୌରଭ ବିଶେଷ ଭାବେ ସଫଳ ରହିଛନ୍ତି । ସିରିଜ୍‌ରେ ମୋଟ ୧୫ଟି ୱିକେଟ୍ ନେଇ ଉନ୍ନତ ଫର୍ମରେ ରହିଥିବାରୁ ତାଙ୍କୁ ଡେବ୍ୟୁ ସୁଯୋଗ ମିଳିବା ନିଶ୍ଚିତ ମନେ ହୁଏ । ସେହିପରି ଯଦି ପେସର୍ ସପକ୍ଷରେ ମ୍ୟାନେଜ୍‌ମେଣ୍ଟ୍ ନିଷ୍ପତ୍ତି ନିଏ, ତା’ହେଲେ ଜୟଦେବ ଉନାଦକତ୍ ଓ ନବଦୀପ ସୈନୀଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ ।
ସୋମବାର ଏଠାରେ ଟେଷ୍ଟ୍ ସିରିଜ୍ ଟ୍ରଫି ଉନ୍ମୋଚନ ଅବସରରେ ଅଧିନାୟକ ରାହୁଲ୍ ତାଙ୍କ ଟିମ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଳାଇବ ବୋଲି ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ସେ ଏହାକୁ ପଡ଼ିଆରେ କେତେଦୂର କାର୍ଯ୍ୟକାରୀ କରିପାରୁଛନ୍ତି, ତା’ ଦେଖିବାର କଥା । ବ୍ୟାଟିଂରେ ରାହୁଲ୍ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍‌ଙ୍କ ସହ ଇନିଂସ ଆରମ୍ଭ କରିବେ । ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଶ୍ରେୟସ୍ ଆୟର୍ ମଧ୍ୟକ୍ରମ ସମ୍ଭାଳିବେ । ୱିକେଟ୍‌କିପର୍ ଋଷଭ ପନ୍ତ୍ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିଥିଲେ ମଧ୍ୟ ଟେଷ୍ଟ୍ ସିରିଜ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ବୋଲିଂ ବିଭାଗ ଉମେଶ ଯାଦବ, ମହମ୍ମଦ ସିରାଜ୍‌, ଅଶ୍ୱିନୀ ଓ ଅକ୍ଷର ପଟେଲ୍ ସମ୍ଭାଳିବେ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଲୋକେଶ ରାହୁଲ୍‌, ଶୁବମାନ ଗିଲ୍‌/ଅଭିମନ୍ୟୁ ଈଶ୍ୱରନ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଉମେଶ ଯାଦବ ଓ ମହମ୍ମଦ ସିରାଜ୍ ।
ସମ୍ଭାବ୍ୟ ବାଂଲାଦେଶ ଏକାଦଶ: ମାହମୁଦୁଲ୍ ହସନ୍ ଜୟ, ଜାକିର୍ ହସନ୍‌, ନଜମୁଲ୍ ହୋସେନ୍ ଶାଣ୍ଟୋ, ମୁଶଫିକର୍ ରହିମ୍‌, ସାକିବ୍‌-ଅଲ୍‌-ହସନ୍ (ଅଧିନାୟକ), ଲିଟ୍ଟନ୍ ଦାସ, ନୁରୁଲ୍ ହସନ୍ (ୱିକେଟ୍‌କିପର୍‌), ମେହିଦୀ ହସନ୍ ମିରାଜ୍‌, ଶୋରିଫୁଲ୍ ଇସଲାମ୍‌, ଖାଲିଦ୍ ଅହମ୍ମଦ ଓ ଏବାଦତ୍ ହୋସେନ୍