ଯାଜପୁର: ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସମ୍ପୂର୍ଣ୍ଣ ଅପହଞ୍ଚ ସରକାରଙ୍କ ଆବାସ ଯୋଜନା | ବ୍ୟାସନଗର ପୌରାଞ୍ଚଳ ୱାର୍ଡ଼ ନମ୍ବର ୨୫ ଚୁନଭାଟି ପ୍ଲଟ ଆଦିବାସୀ ସାହିର ବସ୍ତିବାସିନ୍ଦା ମାନଙ୍କ ଲାଗି ସରକାରଙ୍କ ଆବାସ ଘର ଯୋଜନା ପହଞ୍ଚି ପାରିନାହିଁ | ସେହିଭଳି ସମ୍ପୂର୍ଣ୍ଣ ଅସ୍ୱଚ୍ଛକର ପରିବେଶ ସାହିବାସୀଙ୍କ ରାତିପାହିଲେ ଚିନ୍ତା ବଢାଇ ଦେଇଥାଏ । ଏହି ସାହିରେ ସରକାରଙ୍କ ତରଫରୁ କାହାରିକୁ ମଧ୍ୟ ଆବାସ ଯୋଜନାରେ କୋଠାଘର ଖଣ୍ଡେ ମିଳି ନଥିବା ସମୟରେ ସାହି ଭିତରେ ରହିଥିବା ସମସ୍ତ ଡ୍ରେନଗୁଡିକ ସଫା ହେଉନଥିବାକୁ ସାହିବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।

ସେହିଭଳି ସରକାରୀ ପାଇଖାନା ଯୋଜନା ମଧ୍ୟ ଅପହଞ୍ଚ ରହିଥିବାରୁ ସାହି ବାସିନ୍ଦାମାନେ ମଳତ୍ୟାଗ କରିବା ଲାଗି ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏଠାରେ ପାଖାପାଖି ୭୦ ଗୋଟି ଆଦିବାସୀ ଶ୍ରେଣୀର ଗରିବଗୁରୁବା ପରିବାର ଆଜିକୁ ୭୦ବର୍ଷ ଉର୍ଦ୍ଧ ହେବ ବସବାସ କରିଆସୁଥିଲେ ମଧ୍ୟ ନା ଏମାନଙ୍କ ଭାଗ୍ୟରେ ଅଛି ରେସନ କାର୍ଡ୍, ନା ପକ୍କା ଘର ଏବଂ ନା କୌଣସି ମୌଳିକ ସୁବିଧା | ଅନ୍ୟମାନଙ୍କ ପାଖରେ ମୁଲଲାଗି ନିଜର ପରିବାରକୁ ଚଳାଇଥାଆନ୍ତି ଏହି ଆଦିବାସୀ ସାହିର ବସ୍ତିବାସିନ୍ଦା ।

ଏମାନେ ଭୋର୍ଟକାର୍ଡ ଏବଂ ଆଧାର କାର୍ଡ୍ ପାଇ ଥିଲେ ମଧ୍ୟ ଏମାନେ ସରକାରଙ୍କ ଅନେକ ଜନହିତକର ଯୋଜନାରୁ ବଞ୍ଚିତ ରହିବା ସହିତ ବ୍ୟାସନଗର ପୌରପାଳିକା ପ୍ରଶାସନ କଳର ଅନେକ ମୌଳିକ ସୁବିଧା ଗୁଡିକ ପାଇବାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ପାଣିଟ୍ୟାପ ନାହିଁକି ବାହାରୁଥିବା ପାଣି ଲାଗି ଡ୍ରେନେଜ ବ୍ୟବସ୍ଥା ନାହିଁ । ଫଳରେ ଡ୍ରେନର ନର୍ଦ୍ଦମା ପାଣି ବାହିରି ନପାରି ସାହିବାସୀଙ୍କ ଘରେ ମଷା, ମାଛି ମାନଙ୍କସଂଖ୍ୟା ବୃଦ୍ଧି ପାଉଛି ।ଏପରି ପରିସ୍ଥିତିରେ ଗତିକରୂଥିବା ଏହି ସାହିର ବାସିନ୍ଦା ମାନଙ୍କ ବିଭିନ୍ନ ସମସ୍ୟା କ୍ଷେତ୍ରରେ ପୌରପାଳିକା ପ୍ରଶାସନ କଳ ଦୃଷ୍ଟି ଦେବାକୁ ବତି ସିଙ୍କୁ, ମିନି ସୋରେନ୍, ଡୁମୁନି ବାସ୍କେ ଓ କୋରେଇ ପ୍ରମୂଖଙ୍କ ସମେତ ସମସ୍ତ ସାହିବାସିନ୍ଦାମାନେ ଦାବି କରିଛନ୍ତି ।