ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋଇଛି । ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି, ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ ।ରାଉର ଅର୍ଥ ଆପଣଙ୍କ ଏବଂ କେଲାର ଅର୍ଥ ଗାଁ | ମୁଁ ଆଜି ଆପଣଙ୍କ ଗାଁକୁ ଆସିଛି ହସ୍ପିଟାଲ ଉଦଘାଟନ ପାଇଁ , ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରି ମୁଁ ଗର୍ବିତ । ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ ।
ସେହିଭଳି ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ୬ ବର୍ଷ ପୂର୍ବରୁ ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୨ ବର୍ଷ ମଧ୍ୟରେ ହସ୍ପିଟାଲ କାମ ଶେଷ ହୋଇଛି । ଏଥିପାଇଁ ମୋଟ ୩ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁବିଧା କେବଳ ରାଉରକେଲା ବାସୀ ନୁହେଁ ଓଡିଶା ସହ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ବି ଉପକୃତ ହେବ ।ଓଡିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି । ଓଡିଶାର ଖେଳାଳିମାନେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ।
ଓଡିଶା ପ୍ରଥମ ରାଜ୍ୟ ଭାବେ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି କରୋନା ବିରୋଧୀ ଲଢେଇ କଥା ମଧ୍ୟ ମନେ ପକାଇଛନ୍ତି ରାଷ୍ଟ୍ରପତି । କରୋନା ମୁକାବିଲା ପାଇଁ ଭାରତ ସରକାର କମ ଦାମରେ ପଡୋଶୀ ଦେଶକୁ ଟିକା ଯୋଗାଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ୟ କରିବ ।
ଏଥିସହ ଏଣ୍ଡୋସ୍ସ୍ପୋପି, ପ୍ରାଇଭେଟ୍ ୱାର୍ଡ, ୩ ଟେଲ୍ସା ଏମ୍ଆର୍ଆଇ, ସିଟି ସ୍କାନ୍, ଲ୍ୟାବ୍, ସିଆର୍ଆର୍ଟି ମେସିନ୍ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍ ଥିଏଟର ରହିଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍, କର୍ମଚାରୀ ଓ ଫ୍ୟାକଲ୍ଟି ରୁମ୍ ରହିଛି । ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍, ଏକାଡେମିକ୍ ବ୍ଳକ ମଧ୍ୟ ରହିଛି । ତେବେ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।