ସହିଦନଗର ଥାନା ଅଞ୍ଚଳରେ ୨୦୧୨ମସିହାରେ ଜଣେ ମହିଳାଙ୍କୁ କିରୋସିନି ଢାଳି ହତ୍ୟା କରାଯିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ୱାମୀ ଟୁଟୁ ଗୁନିଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ୫ ହଜାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ବିଚାରପତି ମିନାକ୍ଷୀ ଦାସ ଏହି ରାୟରେ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ହେଲେ ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିର ଟୁଟୁ ଗୁନି (୪୭) । ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇ ଜାମିନରେ ଥିବା ଟୁଟୁଙ୍କ ବାପା କୈଳାଶ (୬୫) ଓ ମା ସବିତା (୫୦)ଙ୍କୁ ନିର୍ଦ୍ଧୋଶରେ ଖଲାସ କରାଯାଇଛି । ବିଚାରପତି ୧୨ଜଣ ସାକ୍ଷୀ ଓ ୨୧ଟି ଦସ୍ତାବିଜ୍କୁ ଆଧାର କରି ଏହି ରାୟ ଶୁଣାଇଥିଲେ । ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥିଲେ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଟୁଟୁ ଶାନ୍ତିପଲ୍ଲୀ ବସ୍ତିରେ ବାପା, ମା, ସ୍ତ୍ରୀ ରଞ୍ଜୁ ଓ ୩ବର୍ଷର ଝିଅଙ୍କୁ ନେଇ ରହୁଥିଲେ । ଅନେକ ସମୟରେ ଟୁଟୁ ମଦ୍ୟପାନ କରି ସ୍ତ୍ରୀ ରଞ୍ଜୁଙ୍କୁ ମାରପିଟ କରୁଥିଲେ । ହେଲେ ରଞ୍ଜୁ ପ୍ରଥମ ସ୍ୱାମୀକୁ ଛାଡ଼ି ଆସିଥିବାରୁ ସେ ଚୁପ ରହିବାକୁ ବାଧ୍ୟ ହେଉଥିଲେ । ଏଥିପାଇଁ ବିଭିନ୍ନ ସମୟରେ ଘରେ କଳହ ଲାଗି ରହୁଥିଲା । ୨୦୧୨ ମେ’ ୧୦ ବିଳମ୍ବିତ ରାତିରେ ରଞ୍ଜୁ ଶୋଇଥିବାବେଳେ ଟୁଟୁ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ରଞ୍ଜୁ ପୋଡ଼ି ହୋଇ ଚିତ୍କାର କରୁଥିବା ଶୁଣି ପଡ଼ୋଶୀ ଦୌଡ଼ି ଆସିଥିଲେ । ପରେ ପଡ଼ୋଶୀ କହିବାରୁ ଗୁରୁତର ରଞ୍ଜୁଙ୍କୁ ଟୁଟୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହେଲେ କିଛି ଦିନ ପରେ ଅଧିକ ଚିକିତ୍ସା ପାଇଁ ରଞ୍ଜୁଙ୍କୁ ଡାକ୍ତର କଟକ ଏସ୍ସିବିକୁ ସ୍ଥାନାନ୍ତର କରିଥିଲେ । ହେଲେ ଜୁଲାଇ ୪ତାରିଖରେ ଟୁଟୁ ଓ ତାଙ୍କ ମା’ ସବିତା ରଞ୍ଜୁଙ୍କୁ ଏସ୍ସିବିକୁ ନେଇନଥିଲେ ।
ସେମାନେ ଚନ୍ଦ୍ରଶେଖରପୁର ଥାନା ନଜଳମାଧବ ବସ୍ତିସ୍ଥିତ ରଞ୍ଜୁଙ୍କ ଭିଣୋଇ ଘରକୁ ନେଇ ଛାଡ଼ି ଦେଇଥିଲେ । ଏହାପରେ ରଞ୍ଜୁ ତାଙ୍କ ଭିଣୋଇ ଓ ଭଉଣୀ ସହାୟତାରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଜୁଲାଇ ୭ରେ ଅଭିଯୁକ୍ତ ଟୁଟୁଙ୍କୁ ପୁଲିସ ଗିରଫ କରିଥିଲା । ଏପଟେ ଅଗଷ୍ଟ ୧୮ତାରିଖରେ ଗୁରୁତର ଥିବା ରଞ୍ଜୁଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ କୋର୍ଟଙ୍କ ଅନୁମତି ଅନୁଯାୟୀ ପୁଲିସ ଉକ୍ତ ମାମଲାରେ ହତ୍ୟା ୩୦୨ ଦଫା ଯୋଡ଼ିଥିଲା । ନଭେମ୍ବର ୨ତାରିଖରେ ଟୁଟୁଙ୍କ ବାପା କୈଳାଶ ଓ ମା’ ସବିତାଙ୍କୁ ପୁଲିସ ଗିରଫ କରିଥିଲା । ୨୦୧୪ରେ ସେପ୍ଟେମ୍ବର ୧୬ରେ କୈଳାଶ ଓ ସବିତା ଜାମିନରେ ଆସିଥିଲେ । ହେଲେ ଅଭିଯୁକ୍ତ ଟୁଟୁ ବିଚାରଧିନ କଏଦୀ ଜେଲରେ ଥିଲେ ।