ପାରାଦ୍ୱୀପ: ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଏହା ଇଣ୍ଟର ନାଭାଲ କମାଣ୍ଡ ବିଶାଖା ପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଛି। ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ସାଗର କବଚ ଅନୁଷ୍ଠିତ ହେବାର, ଦୁଇମାସ ପରେ ପୁଣି ଏକ ସମରାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସୂଚନା ଅନୁଯାୟୀ, ଦେଶରେ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣ ଘଟଣା ସାରାଦେଶର ସୁରକ୍ଷା ବ୍ଯବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ତେଣୁ ଦେଶରେ ଆଗାମୀ ଦିନରେ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଶତ୍ରୁକୁ କିଭଳି ମୁକାବିଲା କରିବାକୁ ହେବ । ସେ ନେଇ ତଟ ସୁରକ୍ଷା ସହିତ ଜଡ଼ିତ ଥିବା ବିଭିନ୍ନ ବିଭାଗ ଗୁଡ଼ିକ କେତେ ପାରଙ୍ଗମ ତା’ର ସମୀକ୍ଷା କରିବ। ତଥା କିଭଳି ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ବିପଦର ମୁକାବିଲା କରିବେ । ସେନେଇ ଏପରି ସମରାଭ୍ୟାସ ଆୟୋଜିତ କରାଯାଉଛି ।
ଭାରତୀୟ ତଟ ରକ୍ଷା ବାହିନୀ, ଭାରତୀୟ ନୌସେନା, ପାରାଦୀପ ବନ୍ଦର, ସିଆଇଏସ୍ଏଫ୍, ଓଡ଼ିଶା ପୁଲିସ, ମେରାଇନ୍ ପୁଲିସ, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ(ମେରାଇନ୍), ବନବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରାୟ ୧୩ଟି ବିଭାଗ ଏଥର ସାମିଲ ହେବାର ସୂଚନା ରହିଛି । ଏଥିରେ ରେଡ୍ ଓ ବ୍ଲୁ ନାମରେ ଦୁଇଟି ଦଳ ଗଠନ କରାଯାଏ । ଗୋଟିଏ ଦଳକୁ ନକଲି ଆତଙ୍କବାଦୀ ବା ଅନୁପ୍ରବେଶକାରୀ ହେବାକୁ ନିର୍ଦ୍ଦେଶ ଦିଆଯାଏ ଯେଉଁମାନେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପୂର୍ବରୁ ଚିହ୍ନଟ ହୋଇଥିବା ପଏଣ୍ଟ ଗୁଡ଼ିକରେ ପଶିବାକୁ ଚେଷ୍ଟା କରିବେ । ଏହାକୁ ପ୍ରତିହତ କରିବେ ଅନ୍ୟ ଦଳର ସଦସ୍ୟମାନେ । ଏପରି ଭାବେ ସମରଭ୍ୟାସ୍ କରାଯିବାର କାର୍ଯ୍ୟକ୍ରମ ରହିଛି ।ଦୁଇଦିନ ଧରି ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ଚାଲିବ।