ଭୁବନେଶ୍ବର: ବୃନ୍ଦାବନର ‘ଗୋପେଶ୍ୱର ମହାଦେବ’ ଯେଉଁଠି ଦେବ ଦେବ ମହାଦେବ ପୂଜା ପାଆନ୍ତି ନାରୀ ରୂପେ। କୁହାଯାଏ ଯେ ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବ ଗୋପୀ ଭାବରେ ପୂଜା ପାଆନ୍ତି ।

ପୌରାଣିକ ମାନ୍ୟତା ଅନୁଯାୟୀ, ବିଶ୍ୱାସ କରାଯାଏ ଏଠାରେ ଭଗବାନ ଶ୍ରୀକୃଷ୍ଣ ରାଧା ରାଣୀ ଏବଂ ଗୋପୀମାନଙ୍କ ସହ ମିଶି ଶାସନ କରୁଥିଲେ । କୁହାଯାଏ, ଦ୍ୱାପର ଯୁଗରେ ସ୍ୱର୍ଗରୁ ୩୩ କୋଟି ଦେବତା ଏହି ମହାରାଜଙ୍କୁ ଦେଖିବା ପାଇଁ ପୃଥିବୀକୁ ଆସିଥିଲେ । କିନ୍ତୁ ଏଠାରେ କେବଳ ମହିଳାମାନେ ପ୍ରବେଶ କରିପାରୁଥିଲେ ତେଣୁ ସମସ୍ତ ଦେବତା ମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ମହାଦେବଙ୍କୁ ତାଙ୍କ ଆରଧ୍ୟାଙ୍କ ରାସଲିଳାରେ ସାମିଲ ହେବାର ଇଚ୍ଛା ଥିଲା । ଦେବୀ ପାର୍ବତୀଙ୍କ ନିର୍ଦ୍ଦେଶରେ ମହାଦେବ ଯମୁନା ରାଣୀଙ୍କ ନିକଟକୁ ଯାଇଥିଲେ ।

ଦେବୀ ଯମୁନା ଶିବଙ୍କୁ ଜଣେ ଗୋପୀ ପରି ସଜାଇ ଦେଇଥିଲେ । ଏହା ପରେ ମହାଦେବ ଶ୍ରୀକୃଷ୍ଣଙ୍କ ସହ ରାସଲିଳାରେ ଯୋଗ ଦେଇଥିଲେ ।ଗୋପୀ ହେବା ପରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ମହାଦେବଙ୍କୁ ଚିହ୍ନି ପାରିଥିଲେ । ପରେ ଶ୍ରୀକୃଷ୍ଣ ମହାଦେବଙ୍କୁ ପୂଜା କରିବା ସହିତ ରାଧା ରାଣୀ ତାଙ୍କୁ ବର ପ୍ରଦାନ କରିଥିଲେ ଯେ ସେ ବୃନ୍ଦାବନରେ ଗୋପେଶ୍ୱର ଭାବରେ ପୂଜା ପାଇବେ । ସେବେଠାରୁ ମହାଦେବ ଗୋପୀ ରୂପରେ ପୂଜା ପାଉଛନ୍ତି । ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ଶିବଙ୍କୁ ଗୋପୀ ଭାବରେ ପୂଜା କରୁଛନ୍ତି । ଲୋକମାନେ ଦୂରଦୂରାନ୍ତରୁ ଶିବଙ୍କର ଏହି ଗୋପେଶ୍ୱର ରୂପକୁ ଦର୍ଶନ କରିବାକୁ ଆସଥାନ୍ତି ।