ଭୁବନେଶ୍ୱର: ଲଗାତାର ଦୁଇଦିନ ହେବ ରାଜଧାନୀ ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍ରେ ଆସି ପହଞ୍ଚିଛି । ତେବେ ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ।

୨/୩ ଦିନ ହେବ ରାଜଧାନୀ ଭୁବନେଶ୍ଵରରେ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୧ ଡିଗ୍ରୀ ବଢ଼ିଯାଇଛି । ବାରିପଦା ତାପମାତ୍ରା ୩୮, ଅନୁଗୁଳ ୩୭.୭, ଟିଟିଲାଗଡ଼ ୩୭.୬, ତାଳଚେର ୩୭.୧, ବଲାଙ୍ଗିର ୩୭, କଟକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।

ତେବେ ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ବଡ଼ କଥା ହେଲା, ଭୁବନେଶ୍ୱର କେବଳ ତାପମାତ୍ରା ବଢ଼ିନି, ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି ।