Odia News Portal

‘ପଞ୍ଜାବ ବଚାଓ’ ଟ୍ରେଣ୍ଡରେ ଖଲିସ୍ତାନକୁ କଡା ବାର୍ତ୍ତା; ପାକିସ୍ତାନ ଓ ଆଫଗାନିସ୍ତାନ ଜିତ ତାପରେ ପଞ୍ଜାବ ଆସିବ

ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିବା ପରଠାରୁ ‘ଖଲିସ୍ତାନ’ ପ୍ରସଙ୍ଗ ଦେଶରେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୋସିଆଲ ମିଡିଆରେ ଅମୃତପାଲ ସିଂହ ଓ ‘ପଞ୍ଜାବ ବଚାଓ’ ଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ଶିଖ୍ ଖଲିସ୍ତାନ ଦାବି ଉପରେ ନିଜର ମତ ଦେଉଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ଖଲିସ୍ତାନ ସମର୍ଥକମାନେ ଜଣେ ନେତା ବାଛନ୍ତୁ। ଖଲିସ୍ତାନର ରାଷ୍ଟ୍ରପତି କିଏ ହେବେ? ଏହା ସେମାନେ ସ୍ଥିର କରିବାକୁ ହେବ। ପ୍ରଥମେ ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ କର। ଖଲିସ୍ତାନ କ’ଣ? ପୂରା ଖଲିସ୍ତାନ ଭାଗଭାଗ ହୋଇ ରହିଛି। ପଞ୍ଜାବର ଅର୍ଦ୍ଧେକ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ରହିଛି, ପ୍ରଥମେ ଯାଅ ଯୁଦ୍ଧ କରି ତାକୁ ଜିତିଆଣ। ତା’ପରେ ପଂଜାବ କଥା କହିବ।

ଅମୃତପାଲ ସିଂହ ବାରମ୍ବାର କହିଛନ୍ତି ଯେ ଆମେ ଯେଉଁ ଖଲିସ୍ତାନର କଥା କହୁଛୁ ତାହା ମହାରାଜା ରଣଜିତ ସିଂହଙ୍କ ସାମ୍ରାଜ୍ୟ … ଏଥିରେ ହିନ୍ଦୁମାନେ ମଧ୍ୟ ଖୁସି ହେବେ। ଭିଡିଓରେ ବୃଦ୍ଧ ଶିଖ୍ କହିଛନ୍ତି ଯେ ଶିଖ୍ ସମଗ୍ର ବିଶ୍ୱରେ ବାସ କରନ୍ତି ଏବଂ ସମସ୍ତ ଶିଖ୍ ପଞ୍ଜାବର। ସମସ୍ତେ ପଞ୍ଜାବୀ। ଯଦି ଆପଣ ଖଲିସ୍ତାନ ଗଠନ କରିବାକୁ ଚିନ୍ତା କରୁଛନ୍ତି, ତେବେ ହିନ୍ଦୁମାନଙ୍କୁ ବାହାର କରି ଦେବେ ନାହିଁ ତ? ଖ୍ରୀଷ୍ଟିଆନମାନଙ୍କୁ ତଡ଼ି ଦେବେ ନାହିଁ ତ? ଯଦି  ଲକ୍ଷ୍ୟ ମହାରାଜା ରଣଜିତ ସିଂଙ୍କ ସାମ୍ରାଜ୍ୟ, ତେବେ ପ୍ରଥମେ ଯାଇ ପାକିସ୍ତାନରେ ଯୁଦ୍ଧ କର। କାରଣ ସମଗ୍ର ପଶ୍ଚିମ ପଞ୍ଜାବ, ଗିଲଗିଟ ବଲ୍ଟିସ୍ତାନ ତ ସେଠାରେ ଅଛି।