ଭୁବନେଶ୍ୱର : ରାଜ୍ୟ ପ୍ରଶାସନରେ ପୁଣିଥରେ ଆରମ୍ଭ ହୋଇଛି ଛକାପଞ୍ଝା । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ହଟାଇ ନିଜେ ଚଉକିରେ ବସିବାପାଇଁ ନିକଟରେ ଏକାଧିକ ବିଭାଗ ବଦଳାଇବା ଥିବା ଜଣେ ବାବୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଭି.ମାଥିଭାଥନନ କାର୍ଯ୍ୟ ତୁଲାଉଥିବାବେଳେ ବିଭାଗ ଏବେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବାରେ ଲାଗିଛି । ସହରାଞ୍ଚଳରେ ଜଳ ଯୋଗାଣ ହେଉ କିମ୍ବା ପରିମଳ ବ୍ୟବସ୍ଥା ସବୁଥିରେ ଏବେ କାର୍ଯ୍ୟକାରୀ ହେଉଥିବା ଯୋଜନା ବେଶ୍ ସଫଳତା ହାସଲ କରିବାରେ ଲାଗିଛି । ସରକାରଙ୍କର ଅନ୍ୟତମ ଫ୍ଲାଗସିପ ଯୋଜନା ଆହାର ଏବେ ସାଧାରଣ ଲୋକଙ୍କ ଦ୍ୱାରା ଆଦୃତ ।
ବିଭାଗୀୟ ପ୍ରମୁଖ ସଚିବ ବିଭାଗକୁ ସୁରୁଖୁରୁରେ ଚଳାଉଥିବାବେଳେ ଏବେ ତାଙ୍କୁ ହଟାଇବାପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇଛି । ବିଶେଷକରି ନଗର ଉନ୍ନୟନ ବିଭାଗରେ ରାଜ କରିବାପାଇଁ ଇଚ୍ଛୁକ ଥିବା ଜଣେ ଅଧିକାରୀ ଏବେ ଏଥିପାଇଁ ମେଳି କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳୁଛି । ଆଗକୁ ପୌର ର୍ନିବାଚନ ଆସୁଥିବାରୁ ଏହି ମଉକାରେ ସଚିବ କିଭଳି ହଟିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ଚାଲିଛି । ଆବଶ୍ୟକ ପଡିଲେ ସଚିବଙ୍କୁ ହଟାଇବାପାଇଁ ସରକାରଙ୍କୁ ବଦନାମ କରାଯାଇ ପାରେ ବୋଲି ଗୋଟିଏ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ଉଲ୍ଲେଖନୀୟ ଯେ ଦୀର୍ଘଦିନ ଧରି ଗୃହ ଓ ନଗର ଉନ୍ନୟନ ବିଭାଗରେ ସଚିବ ଓ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ମାଥିଭାଥନନଙ୍କ ନାମରେ କୌଣସି ଅଭିଯୋଗ ନାହିଁ । ବରଂ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତାର ଶ୍ରେୟ ତାଙ୍କୁ ମିଳିବାରେ ଲାଗିଛି । ନିକଟରେ କାର୍ଯ୍ୟକାରୀ ହେଉଥିବା ସହରାଞ୍ଚଳ କର୍ମନିଯୁକ୍ତି ଯୋଜନା ମୁକ୍ତା କୁ ଦେଶର ବିଭିନ୍ନ ରାଜ୍ୟ ସରକାର ଅନୁକରଣ କରିବାରେ ଲାଗିଛନ୍ତି । ଏଥି ସହିତ ସହରାଞ୍ଚଳରେ ଜଳସାଥି, ସ୍ୱଚ୍ଛ ସାଥି ଭଳି ଯୋଜନାରେ ମହିଳା ବିଶେଷକରି କିନ୍ନରମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ମୁକ୍ତା ଯୋଜନାରେ ଜଳ ସଂରକ୍ଷଣ ସହିତ ଲୋକଙ୍କ ହାତକୁ କାମ ଯୋଗାଇବା, ଆହାର ଯୋଜନାରେ ମହିଳା ଗୋଷ୍ଠିଙ୍କୁ ସାମିଲକରିବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି କରିବା ଭଳି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି ।
ବିଭାଗୀୟ ପ୍ରମୁଖ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଏକାଧିକ ସଫଳ ଯୋଜନା କାର୍ଯ୍ୟକାରୀ ହେଉଥିବା ଓ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ସୁନଜର ଥିବାବେଳେ ଏବେ ଏଭଳି ଅଫିସରଙ୍କୁ ବଦନାମ କରି କିଭଳି ନିଜେ ସଚିବ ଚଉକିରେ ବସିବେ ସେଥିପାଇଁ ଯେଉଁ ଷଡଯନ୍ତ୍ର ଆରମ୍ଭ ହୋଇଛି ସେଥିରେ ନେତୃତ୍ୱ ନେଉଥିବା ବାବୁ ଜଣଙ୍କ କିଭଳି ସଫଳ ହେବେ ତାହା ଉପରେ ଏବେ ଅନେକ ପ୍ରଶାସକ ନଜର ରଖିଛନ୍ତି । ନିକଟରେ ଏହି ବାବୁ ଜଣଙ୍କ ବିଭିନ୍ନ ବିବାଦରେ ଛନ୍ଦି ହେବା ସହିତ ସରକାରଙ୍କୁ ଖାଲରେ ପକାଇଥିବାବେଳେ ତାଙ୍କ ଉପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶାସକଦଳ ଲୋକେ ସେତେଟା ଖୁସି ନାହାନ୍ତି । ତେଣୁ ଏଭଳି ସ୍ଥିତିରେ ସିଏ କେତେଦୂର ସଫଳ ହେବେ ତାହା ଉପରେ ଏବେ ଅନେକଙ୍କ ନଜର ।