ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବ୍ୟବସାୟୀ ବିଶେଷକରି କପଡା ଓ ପୋଷାକ ବ୍ୟବସାୟୀମାନେ ଆନୁଆଲ ସେଲ୍ ଆରମ୍ଭ କରିଦେଇଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ରଙ୍ଗ ବେରଙ୍ଗର ବିଜ୍ଞାପନ ଦେଉଛନ୍ତି । ହେଲେ କରୋନା ସଂକ୍ରମଣ ଓ ସରକାରୀ ଫାଇନ୍ ଭୟରେ ଗ୍ରାହକମାନେ ଦୋକାନଙ୍କୁ ଯିବାକୁ ପଛଘୁଞ୍ଚା ଦେଉଥିବା ଲକ୍ଷ୍ୟ କରାଯାଉଛି ।
ରାଜଧାନୀର ନାମୀ ଦାମୀ ଦୋକାନଗୁଡିକରେ ଏବେ ଆନୁଆଲ ସେଲ୍ ଆରମ୍ଭ ହୋଇଛି । କିଏ ୫୦% ପ୍ରତିଶତ ରିହାତି ଦେଉଛି ଥ ଆଉ କିଏ ରିହାତି ସହିତ ଆକର୍ଷଣୀୟ ଉପହାର । ଲୋକଙ୍କୁ ଆକୃଷ୍ଟ ପାଇଁ ଗଣମାଧ୍ୟମରେ ବି ଭଳିକି ଭଳି ବିଜ୍ଞାପନ ଛାଡୁଛନ୍ତି । ସହରରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ତାହା ପୂର୍ବରୁ କିଭଳି ଲୋକେ ଆସିବେ ସେଥିପାଇଁ ଲାଗିପଡିଛନ୍ତି । ଦୋକାନକୁ ଆସିବାକୁ ହେଲେ ମାସ୍କ ବାଧ୍ୟତାମୂଳକ ବୋଲି କହୁଛନ୍ତି । ସାନିଟାଇଜର ଠାରୁ ସୋସିଆଲ ଡିଷ୍ଟାନ୍ସ ସବୁକିଛି ଥିବା ଦର୍ଶାଉଛନ୍ତି ।
ହେଲେ ଲୋକେ କିନ୍ତୁ କରୋନା ଭୟରେ ଯିବାକୁ ନାରାଜା । ଏବେ ବି ରାଜଧାନୀ ରାଜ୍ୟର ସର୍ବାଧିକ କରୋନା ପ୍ରବଣ ସହରର ମାନ୍ୟତା ପାଉଥିବାବେଳେ ଏଥିଯୋଗୁଁ ଖୋରଧା ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ତେଣୁ ଟିକା ଅସାବଧାନ ହେଲେ ସଂକ୍ରମଣ ଭୟ ରହିଛି । କାରଣ ଏବେ ମଧ୍ୟ ରାଜ୍ୟରେ ୧୦ହଜାର ଉପରେ ସକ୍ରିୟ ରୋଗୀ ରହିଥିବାବେଳେ ରାଜଧାନୀରେ ଏହି ସଂଖ୍ୟା ଢେର ଅଧିକ । କରୋନା ମୃତ୍ୟୁରେ ମଧ୍ୟ ରାଜଧାନୀ ଏକ ନମ୍ବରରେ ରହିଛି । ରାଜଧାନୀ ପଛକୁ ସଂକ୍ରମଣ ଓ ମୃତ୍ୟୁରେ କଟକ ସହର ଦ୍ୱିତୀୟ ସ୍ଥାନ ହାସଲ କରିଛି ।
ତେବେ କରୋନା ସଂକ୍ରମଣ ଭୟ ସହିତ ଦୁଇ ମହାନଗରୀରରେ ଫାଇନ୍ ଭୟ ବି ରହିଛି । ରାଜଧାନୀରେ ବିଏମ୍ସି ବିଭିନ୍ନ ଦୋକାନ ଓ ମଲରେ ଚଢଉ କରି ଦୋକାନୀ ସହିତ ସେଠାରେ ଗହଳି କରୁଥିବା ଗ୍ରାହକଙ୍କ ଠାରୁ ବି ଫାଇନ୍ ଆଦାୟ କରୁଛି । ତେଣୁ ହଜାରେ ଟଙ୍କାର ପୋଷକ କିଣୁଥିବା ଲୋକେ ୫୦୦ ଟଙ୍କା ଫାଇନ୍ ଗଣି କାନମୁଣ୍ଡା ଆଉଁଷି ଫେରୁଛନ୍ତି । ଗୋଟିଏ କରୋନା ଭୟ ଓ ଅନ୍ୟପଟେ ବିଏମ୍ସିର ଫାଇନ୍ ଭୟ ଏବେ ରାଜଧାନୀବାସୀଙ୍କୁ ରିହାତି ବିଜ୍ଞାପନ ଆଡେ ଚାହିଁବାକୁ ଏକ ପ୍ରକାର ବାରଣ କରୁଛି । ଫଳରେ ଅନେକ ବ୍ୟବସାୟୀ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି ।
ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାତି ୮ଟା କଟକଣା ବଳବତ୍ତର ରଖିଥିବାବେଳେ ଗତବର୍ଷ ଭଳି ଚଳିତବର୍ଷ ବି ଫିକା ଫିକା ପାର୍ବଣ ପାଇଁ ଆଗୁଆ କଟକଣା ଜାରି କଲେଣି । ଏପଟେ କରୋନା କଟକଣା ଓ ସେପଟେ ପାର୍ବଣ କଟକଣା ଭିତରେ ଦୁଇ ପଇସାର ବେପାର ପାଇଁ ଆଶାବାନ୍ଧି ବସିଥିବା ବଡ ବଡ ବ୍ୟବସାୟୀମାନେ ହତାଶ ହେଉଥିବାବେଳେ କାଳେ କେଉଁଠି ପଇସା ଲୋଭରେ ଭିଡ ଜମାଇବେ ତାହା ଉପରେ ବିଏମସି ସ୍କ୍ୱାଡ୍ ତୀକ୍ଷ୍ଣ ନଜର ରଖିଥିବା ଦେôବାକୁ ମିଳୁଛି । କିଛି ହେଉ କି ନହେଉ ପୁଳାଏ ଫାଇନ୍ ଆଦାୟ ପାଇଁ ବିଏମ୍ସି ଯେଭଳି ତତ୍ପର ହେଉଛି ତାହା ଅନେକଙ୍କ ଭେଳା ବୁଡାଇବା ଏକ ପ୍ରକାର ଥୟ ହେଲାଣି ।