Odia News Portal

ଆୟ ବର୍ହିଭୂକ୍ତ ସମ୍ପତି ଠୁଳ ମାମଲା, ସରକାରୀ ଯନ୍ତ୍ରୀ ଗିରଫ

ଆୟ ବର୍ହିଭୁକ୍ତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସରକାରୀ ଯନ୍ତ୍ରୀ । ସମ୍ପୃକ୍ତ ଯନ୍ତ୍ରୀ ଜଣଙ୍କ ହେଲେ ବାଲେଶ୍ୱର ଜିଲା ଆର୍ ଆଣ୍ଡ୍ ଡବ୍ଲୁ ଡିଭିଜନ-୨ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି । ଭିଜିଲାନ୍ସ ଏକ ସଙ୍ଗରେ ଅଜୟଙ୍କ ୭ଟି ଠିକାଣ ଉପରେ ରେଡ କରିଛି । ରେଡ୍ ପରେ ତାଙ୍କ ଠାରୁ ବହୁ କୋଟି ଟଙ୍କାର ସମ୍ପତି ଠାବ ହୋଇଛି । ଯେଉଁଥିରେ ରହିଛି ୨ଟି ଦୁଇ ମହଲା ବିଶିଷ୍ଟ ବିଡିଂ, ୧୧ଟି ପ୍ଲଟ୍‌, ୧ଟି ଫ୍ଲାଟ୍‌, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ଏବଂ ବୀମା, ୩୨୩ ଗ୍ରାମ୍ ସୁନା ଏବଂ ୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଘରୋଇ ଉପକରଣ ରହିଛି । ଏହା ବ୍ୟତିତ ତାଙ୍କ ଘରୁ ନଗଦ ଲକ୍ଷେରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ତିନୋଟି ୨ ଚକିଆ ଓ ୪ ଚକିଆ ଗାଡି ଠାବ କରାଯାଇଛି । ଭିଜିଲାନ୍ସ ସୂତ୍ରରୁ ମଳିଥିବା ସୂଚନା ମୁତାବକ, ଅଜୟଙ୍କ ପାଖରେ ଆୟ ବର୍ହିଭୁକ୍ତ ସମ୍ପତି ଥିବା ନେଇ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ଅନୁମତି କ୍ରମେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଠିକଣା ରେଡ ମାରିବାକୁ ଯୋଜନା କରିଥିଲା ।

ଏଥିପାଇଁ ଭିଜିଲାନ୍ସ ୭ଟି ଟିମ୍ ଗଠନ କରିଥିଲା । ଯେଉଁଥିରେ ୪ଟି ଡିଏସ୍‌ପି, ୧୦ ଇନିସ୍‌ପେକ୍ଟର ଏବଂ ୨ ଜଣ ସବ୍‌ଇନିସ୍‌ପେକ୍ଟର ସାମିଲ ଥିଲେ । ବାଲେଶ୍ୱର, ଖୋର୍ଦ୍ଧା ଏବଂ ପୁରୀରେ ୭ଟି ସ୍ଥାନରେ ଏକ ସଂଗରେ ରେଡ୍ କରିଥିଲେ । ପୁରୀର ଦାମୋଦର ରୋଡ ହରିଶଚନ୍ଦ୍ର ସାହିରେ ଏବଂ ଅନନ୍ୟା ପାମ୍ ବିଚ୍‌ରେ ଏକ ଫ୍ଲାଟ ରହିଛି । ସେହିପରି ଖୋର୍ଦ୍ଧା ଜିଲା ଚିଲିକାରେ ଏକ ୨ ମହଲା ବିଶିଷ୍ଟ ଘର ରହିଛି । ତାଙ୍କ ଠାରୁ ଭୁବନେଶ୍ୱର ସମେତ ୩ ଜିଲାରେ ୧୧ଟି ପ୍ଲଟର ସେଲ ଡିଡ୍ ଜବତ କରାଯାଇଛି । ଯାହାର ମୁଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ହେଲେ ଉକ୍ତ ପ୍ଲଟର ମୂଲ୍ୟ ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସର ଟେକ୍‌ନିକାଲ ୱିଙ୍ଗ୍‌ର ଏହାର ଆକଳନ କରୁଛନ୍ତି । ତେବେ ରେଡ ଜାରି ରହିଛି । ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଖୁବ୍‌ଶୀଘ୍ର ଭିଜିଲାନ୍ସ ତାଙ୍କୁ ଗିରଫ କରିବ ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ।