ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ । ଏନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି । କଣ୍ଟାବାଞ୍ଜି ଜୁର୍ଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣା ସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି । ପୋଷାକରୁ ମିଳିଥିବା ଲଫାପା ପୋଲିସ ପାଖରେ ଅଛି । ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟରେ ଆଶ୍ରୟ ନେଇ ପାରିବେ । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି । ବିରୋଧୀ ଯେଉଁ ୧୨୦ ବି ଷଡ଼ଯନ୍ତ୍ର କଥା କହୁଛନ୍ତି ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ସେ ଦିଗରେ ବି ତଦନ୍ତ ହେବ ।
ଏନେଇ ଗୃହରେ ଆଲୋଚନା ବେଳେ ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ନୟାଗଡ଼ ପରୀ,ଯାଜପୁର ସ୍ମିତାରାଣୀ, ମାହାଙ୍ଗା ଡବଲ ମଡ଼ର୍ର, ଏସିଏଫ ସୌମ୍ୟରଞ୍ଜନ, କ୍ୟାମେରାମ୍ୟାନ ମାନସ ପ୍ରସଙ୍ଗ ଉଠାଇ କ୍ରାଇମବ୍ରାଞ୍ଚ ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଲେ । ଉଭୟ ମାମଲାରେ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିବ ସ୍ଵାଭାବିକ । ସରକାର ସ୍ପଷ୍ଟ କରିବେ କି ତାଙ୍କ ତଦନ୍ତ କାରୀ ସଂସ୍ଥା କେତେ ସ୍ୱଚ୍ଛ । ନଚେତ୍ ସିବିଆଇ ତଦନ୍ତ କରାନ୍ତୁ ସରକାର ।
ସେହିଭଳି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତରକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି । ମନ୍ତ୍ରୀ କହୁଛନ୍ତି କଣ୍ଟାବାଞ୍ଜି ଜୁର୍ଡିସିଆଲ ମାଜିଷ୍ଟେଟଙ୍କ ଦ୍ଵାରା ଅନୁସନ୍ଧାନ ଜାରି ରହିଛି । ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ଅପମୃତ୍ୟ ମାମଲା ରୁଜୁ ହୋଇଛି । ଅପମୃତ୍ୟ ମାମଲାରେ ତଦନ୍ତ ହେବ ଅନୁସନ୍ଧାନ ହେବ ନାହିଁ । ଅପମୃତ୍ୟୁ ମାମଲାରେ ତଦନ୍ତ ପାଇଁ ୨୪ ରୁ ୪୮ ଘଣ୍ଟା ଲାଗିବା କଥା କିନ୍ତୁ ୩ ମାସ ତଦନ୍ତ କରାଯାଏ ଏହା ଶୁଣା ଯାଇନି । ମେଡ଼ିକାଲ ରିପୋର୍ଟ ସମୟରେ ବି କିଛି ମ୍ୟାନୁପୁଲେଟ ହୋଇଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ନରସିଂହ । କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇ ଏସଆଇଟି ମାଧ୍ୟମରେ ତଦନ୍ତ ପାଇଁ ଦାବି କରିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡଠୁ ଗୋବିନ୍ଦ ସାହୁଙ୍କ ଘଟଣାରେ ଏସଆଇଟି ତଦନ୍ତ କରାଯାଉ । ଦକ୍ଷ ଅଫିସର ରଖାଯାଉ । ରାଜ୍ୟରେ ସରକାର ଚାଲୁଛି କି ନାହି ସନ୍ଦେହରେ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ନରସିଂହ ।