ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ ଅଣାଯିବା ପରେ ସେଠାରୁ ଝାରସୁଗୁଡ଼ାକୁ ଆଉ ବିମାନ ଉପଲବ୍ଧ ନ ଥିବା ହେତୁ ସଡ଼କ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଛି। ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯିବ ; କିନ୍ତୁ ତିନି ଥର ରିମାଣ୍ଡରେ ନେବା ମଧ୍ୟରେ ଲେୟରର୍ଡ ଭଏସ ଆନାଲିସିସ୍(ଏଲଭିଏ), ମନସ୍ତାତ୍ତ୍ବିକ ବିଶ୍ଲେଷଣ, ଅଭିଯୁକ୍ତର ଆବାସ ନିରୀକ୍ଷଣ, ଅପରାଧ ଦୃଶ୍ୟ ରିକ୍ରିଏସନ ପରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ ଶେଷ ହୋଇ ସାରିଥିବାରୁ ଆଉ ସମ୍ଭବତଃ ରିମାଣ୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଇଛି। ଏମିତିରେ ରାଜ୍ୟ ଓ ଜାତୀୟସ୍ତରର ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ପରୀକ୍ଷାଗୁଡ଼ିକର ରିପୋର୍ଟ ଆସିବା ପରେ ହୁଏତ ହତ୍ୟାକାଣ୍ଡର କାରଣ ସଂକ୍ରାନ୍ତରେ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।