ପୁରୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ଜୈନିକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି ।ତେବେ ଏହି ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି, ବଡଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା,ସେହିଭଳି ମା ସୁଭଦ୍ରାଙ୍କ ୮ଟି ତଡକି ଏବଂ ୨ଟି ଝୋବା ପ୍ରଦାନ କରାଯାଇଛି ।


ଏହିସବୁ ଅଳଙ୍କାରରେ ସମୁଦାୟ ୪ କେଜି ୮୫୫ ଗ୍ରାମ ସୁନା ଏବଂ ୩ କେଜି ୮୭୬ ଗ୍ରାମ ରୂପା ବ୍ୟବହାର ହୋଇଛି ।ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡା. କ୍ରିଷନ୍ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହି ସବୁ ଅଳଙ୍କାର ମାନ ଦାନ କରିଛନ୍ତି ।


ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ରାମଚନ୍ଦ୍ରଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ,ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ମାନ ବ୍ୟବହାର ହେବ ।