Odia News Portal

ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ହେବ ଭବ୍ୟ ପ୍ରତୀକ : ଗୋଲକ ମହାପାତ୍ର

ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ମାଟିକୁ ନମନ୍‌, ବୀରଙ୍କୁ ବନ୍ଦନ” । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଅଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଥିଲା ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଜେପି ତରଫରୁ ରାଜ୍ୟର କୋଣ ଅନୁକୋଣରୁ କଳସରେ ମାଟି ସଂଗ୍ରହ କରାଯାଉଛି । ସଂଗୃହୀତ ମାଟି କଳସକୁ ବ୍ଲକ ସ୍ତରରେ ଏକାଠି କରାଯିବା ପରେ ଆସନ୍ତା କାଲି ଭୁବନେଶ୍ୱରକୁ ଅଣାଯିବ । ରାମମନ୍ଦିର ନିକଟସ୍ଥ ପଣ୍ଡିତ୍ ଦୀନଦୟାଲ ପାର୍କଠାରେ ସମସ୍ତ କଳସକୁ ଏକାଠି କରାଯିବ । ୨୮ ତାରିଖ ସକାଳ ୮ଟାରେ ରାମମନ୍ଦିରଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ସଂଗୃହୀତ ସମସ୍ତ କଳସକୁ ଭୁବନେଶ୍ୱର ରେଳ ଷ୍ଟେସନକୁ ନିଆଯିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀକୁ ନିଆଯିବ । ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା ଆସନ୍ତା ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କରାଯିବ । ଏହି ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭବ୍ୟ ପ୍ରତୀକ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
“ମାଟିକୁ ନମନ-ବୀରକୁ ବନ୍ଦନ” କାର୍ଯ୍ୟକ୍ରମ ଅବସରରେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଡି ହୋଇ ଅମୃତ ବାଟିକା ପାଇଁ ଓଡିଶା ପ୍ରଦେଶରୁ ଯାଉଥିବା ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି ।