ବ୍ରହ୍ମପୁର: ବ୍ରହ୍ମପୁରରେ ଆମ ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ରକ୍ ଗାର୍ଡେନ୍ ନିର୍ମାଣ ଚାଲିଛି । ଚଳିତ ବର୍ଷ ଏହି ପ୍ରସ୍ତର ଉଦ୍ୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ଯୋଜନା ରହିଛି। ଫଳରେ ଦେଶର ପର୍ଯ୍ୟଟନ ମାନଚିତ୍ରରେ ବ୍ରହ୍ମପୁରକୁ ମିଳିବ ଆଉ ଏକ ନୂଆ ପରିଚୟ ।
ରାଜ୍ୟର ତୃତୀୟ ମହାନଗର ବ୍ରହ୍ମପୁର । ଓଡ଼ିଶାର ଅନ୍ୟତମ ପୁରାତନ ସହର । ଦକ୍ଷିଣ ଓଡ଼ିଶାର ଏହି ବାଣିଜ୍ୟିକ ପେଣ୍ଠ ସମେତ ଏହାର ଆଖପାଖ ମାତ୍ର କେଇ କିଲୋମିଟର ମଧ୍ୟରେ ରହିଛି ଗୋପାଳପୁର ଓ ପାତିସୁନାପୁର ବେଳାଭୂମି ଯାହା ଶୀଘ୍ର ବ୍ଲୁ ଫ୍ଲାଗ୍ ବିଚ୍ ପାଲଟିବାକୁ ଯାଉଛି । ଏହା ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଜିବ ଅନ୍ୟତମ ଆକର୍ଷଣ । ଏଥିସହ ରହିଛି ତାରାତାରିଣୀ- ସିଦ୍ଧ ଭୈରବୀ- ମହୁରୀକାଳୁଆ- ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ଭଳି ପ୍ରସିଦ୍ଧ ପୀଠ, ପୋତାଗଡ଼ ଓ ଜଉଗଡ଼ ଭଳି ଐତିହାସିକ ସ୍ଥଳ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ– ଆଇଜର- ପିଏମ୍ ଇଞ୍ଜିନିୟରିଂ କଲେଜ ଭଳି ଶିକ୍ଷାନୁଷ୍ଠାନ, ତାମ୍ପରା ଭଳି ଜଳକ୍ରୀଡ଼ା କେନ୍ଦ୍ର, ବିରଳ ସାମୁଦ୍ରିକ କଇଁଛଙ୍କ ମିଳନ ଓ ଗଣ ଅଣ୍ଡାଦାନ ସ୍ଥଳ ଗଞ୍ଜାମ ସହର ନିକଟବର୍ତ୍ତୀ ବଙ୍ଗୋପସାଗର ତଟ ଓ ଋଷିକୁଲ୍ୟା ମୁହାଣ ଆଦି ଦର୍ଶନୀୟ ସ୍ଥାନ ।
ପ୍ରାକୃତିକ ହେଉ କି ଐତିହାସିକ, ସାମୁଦ୍ରିକ ହେଉ କି ପାର୍ବତ୍ୟାଞ୍ଚଳ, କୃତ୍ରିମ ହେଉ ଅଥବା ଆଧ୍ୟାତ୍ମିକ । ପର୍ଯ୍ୟଟନର ସମ୍ଭାରରେ ଭରପୁର ବ୍ରହ୍ମପୁରକୁ ଆଉ ଏକ ଅନନ୍ୟ ପରିଚୟ ପ୍ରଦାନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ପାର୍କ, ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ, ଆଇଟିଆଇ ଓପନ୍ ଏୟାର ସ୍କ୍ରାପ୍ ମ୍ୟୁଜିୟମ୍ ପରେ ଏବେ ବ୍ରହ୍ମପୁରବାସୀ ଶୀଘ୍ର ରାଜ୍ୟର ଏକମାତ୍ର ରକ୍ ଗାର୍ଡେନ୍ ପାଇଁ ଗୌରବାନ୍ବିତ ହେବାକୁ ଯାଉଛନ୍ତି । ରେଶମ ସହରର ବାସିନ୍ଦାଙ୍କ ଆଉ ଏକ ସ୍ଵପ୍ନ ପୂରଣ କରିବେ ନବୀନ ପଟ୍ଟନାୟକ।ବ୍ରହ୍ମପୁରର ବିକାଶ ଉପରେ ସଦା ନଜର ରଖିଥିବା କଥାକୁ ବାସ୍ତବତାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଜାନିବିଲି ପାନୀୟ ଜଳଯୋଗାଣ ପ୍ରକଳ୍ପ ହେଉ ବା ଭବ୍ୟ ରାମଲିଙ୍ଗେଶ୍ୱର ପାର୍କ ଅଥବା ବିକଶିତ ହେଉଥିବା ବ୍ରହ୍ମପୁର ଷ୍ଟାଡିୟମ୍ … ଆଉ ଏବେ ରକ୍ ଗାର୍ଡେନ୍ । କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶରେ ବ୍ରହ୍ମପୁରକୁ ପରିଚିତ କରାଇବ ବିଡିଏ ଦ୍ବାରା ନିର୍ମିତ ହେଉଥିବା ଏହି ପ୍ରସ୍ତର ଉଦ୍ୟାନ ।
୫ ଏକରରୁ ଅଧିକ ଜାଗାରେ ବ୍ୟାପ୍ତ ପ୍ରସ୍ତର ଉଦ୍ୟାନରେ ରହିବ ଓପନ୍ ଏୟାର ଥିଏଟର (ଖୋଲା ଆକାଶ ମଞ୍ଚ) । ରାଜ୍ୟର ହାତଗଣତି ସ୍ଥାନରେ ଏଭଳି ମଞ୍ଚ ରହିଛି । ୫ଟି ପବନ କଳ, କୃତ୍ରିମ ହ୍ରଦ, ଝରି ଆସୁଥିବା ଜଳସ୍ରୋତ, ଫାଉଣ୍ଟେନ୍ (ଜଳ ଫୁଆରା), ସୁଦୃଶ୍ୟ ଖୋଲା ସ୍ଥାନ, ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ ସୁବିଧା ସୁଯୋଗ । ଲୁମିନାର ଜେଟ୍, ଫ୍ଲାଶ୍ ପୁଲ୍ ଆପଣଙ୍କୁ ରୋମାଞ୍ଚିତ କରିବ । ଏପଟୁ ପାଣି ଫୁଆରା ସେପଟକୁ ଯିବ ଓ ସେପଟରୁ ଏପଟକୁ ଆସିବ । ମଝିରେ ଆପଣ ପାଥ୍-ୱେ ଦେଇ ଅତିକ୍ରମ କରିବେ । ଆପଣ ଚାଲି ଯାଉଥିବେ, ତଳୁ ପାଣି ଫୁଆରା ଉଠିବ, ଆପଣଙ୍କ ପାଦକୁ ଓଦା କରିବ, ଝିପଝିପ ବର୍ଷାର ଅନୁଭୂତି ଆପଣଙ୍କୁ ଆଣିଦେବ । ୪୦ ଫୁଟ ଚଉଡା, ପ୍ରାୟ ୧ ହଜାର ଫୁଟ ଗୋଲେଇ ସ୍ଥାନର କେନ୍ଦ୍ର ଭାଗରେ ପଥରରେ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟ, ଐତିହ୍ୟସମ୍ପନ୍ନ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସବୁଜ ଗାଲିଚା, ସିଟିଙ୍ଗ୍ ଗ୍ୟାଲେରୀ ଅନ୍ୟତମ ଆକର୍ଷଣ ହେବ । ମିରର୍ ହାଉସ୍ ( ଭୁଲଭୁଲେୟା) ମଧ୍ୟ ପ୍ରସ୍ତାବିତ ଯୋଜନାରେ ରହିଛି ଯାହା ଆପଣଙ୍କ ରୋମାଞ୍ଚକୁ ଦ୍ବିଗୁଣିତ କରିବ । ଫ୍ରି ସାଇକେଲ୍ ରାଇଡ୍ (ନିଶୁଳ୍କରେ ପ୍ରସ୍ତର ଉଦ୍ୟାନ ମଧ୍ୟରେ ସାଇକେଲରେ ଘୁରି ଆସିପାରିବେ) ସୁବିଧା ମଧ୍ୟ ରହିବ ।
ପିଲାଙ୍କୁ ଆକର୍ଷଣ କରିବ ଚେସ୍ ଓ ଲୁଡୋ ଭଳି ସଜ୍ଜିତ ଖେଳିବା ସ୍ଥାନ । ଭବ୍ୟ ଓ ଆକର୍ଷଣୀୟ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ମହୋତ୍ସବର ଆୟୋଜନ ନିମନ୍ତେ ଏହି ସ୍ଥାନ ହେବ ପ୍ରଥମ ପସନ୍ଦ । ବ୍ୟସ୍ତବହୁଳ ଜୀବନରୁ ଯେତେବେଳେ ଆମେ ବିରତି ନେଇ ପ୍ରକୃତି କୋଳକୁ ଚାଲିଯିବା, ସେତେବେଳେ କିଭଳି ପ୍ରାକୃତିକ ସାଙ୍ଗକୁ କୃତ୍ରିମତାର ଉପଯୁକ୍ତ ସମନ୍ବୟରେ ଗଢ଼ି ଉଠିଥିବା ପ୍ରସ୍ତର ଉଦ୍ୟାନ ଆମକୁ ଆନନ୍ଦ ଆଣିଦେବ ତାହା ସହଜରେ କଳ୍ପନା କରିହୁଏ । ପଥର, ପାଣି, ସବୁଜିମା ଭରା ଚତୁଃପାର୍ଶ୍ଵ ଆମକୁ ଆମୋଦପ୍ରମୋଦର ସୁଯୋଗ ଦେବ ବୋଲି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଏହି ରକ୍ ଗାର୍ଡେନ ବ୍ରହ୍ମପୁର ସହର ପାଇଁ ବହୁତ ଗୁରୁତ୍ୱ ରଖୁଛି । ରେଶମ ସହରବାସୀଙ୍କ ସମେତ ଏହା ଦେଶବିଦେଶର ପର୍ଯ୍ୟଟକଙ୍କ ଚିତ୍ତବିନୋଦନ ପାଇଁ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ସାରା ଦେଶରେ ଖ୍ୟାତି ଲାଭ କରିବ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ବ୍ରହ୍ମପୁର ସହର ପ୍ରତି ତାଙ୍କର ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ବିଇଏମସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ।