ଭୁବନେଶ୍ୱର : ଗୋଟିଏ ପୁଡିଆ ଗଞ୍ଜେଇ ଘରେ ରଖିବାକୁ ଦିନକୁ ଭଡା ୧୦୦ ଟଙ୍କା । ଘଣ୍ଟାଏ ହେଉ କି ୨୪ଘଣ୍ଟା ଘର ମାଲିକଙ୍କୁ ଗଞ୍ଜେଇ ବେପାରୀ ୧୦୦ ଟଙ୍କା ଭଡା ଦେଉଛନ୍ତି । ଘର ମାଲିକ ବି ବିନା ପରିଶ୍ରମରେ ଶହେ ଟଙ୍କା ରୋଜଗାର କରୁଛନ୍ତି । କଥାଟି ବିଶ୍ୱାସ ଲାଗୁନଥିଲେ ବି ସତ୍ୟ । ଖୋଦ ରାଜଧାନୀରେ ଗଞ୍ଜେଇ ବେପାରୀମାନେ ପୁଲିସ୍ ଆଖିରେ ଧୂଳିଦେଇ ଆଇନ୍ ଜାଲରୁ ଖସିବାପାଇଁ ଏଭଳି ଅଭନବ ପନ୍ଥା ଆପଣେଇଛନ୍ତି ।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଗଞ୍ଜେଇ କାରବାର ପୂରା ଦମ୍ରେ ଚାଲିଛି । ଲକ୍ଡାଉନ୍ରେ ମଦ କିଣିବା ସହଜ ହେଉନଥିବାରୁ ନିଶାଡିମାନେ ଗଞ୍ଜେଇକୁ ଆପଣେଇ ନେଇଛନ୍ତି । ତେଣୁ ରାଜଧାନୀର ବିଭିନ୍ନ ୟୁନିଟ୍ ବିଶେଷକରି ଗଞ୍ଜେଇ କାରବାରର ହବ୍ ପାଲଟିଥିବା ଛଅ ନମ୍ବର ୟୁନିଟ୍ରେ ଏବେ ଏଭଳି ଗଞ୍ଜେଇ ଭଡା କାରବାର ଚାଲିଛି । ଅବକାରୀ ଓ ପୁଲିସ୍ ବାବୁମାନେ ସବୁ ଜାଣିଛନ୍ତି । ହେଲେ ଲକ୍ଡାଉନ୍ରେ ନିଜ ପକେଟ ଟିକେ ଅଧିକ ଗରମ ହେଉଥିବାରୁ ସେମାନେ ଅଜଣା ହେଉଥିବା ନେଇ ଚର୍ଚ୍ଚା ଚାଲିଛି ।
ସ୍ଥାନୀୟ ଛଅ ନମ୍ବର ଅଞ୍ଚଳର କାଳୀ ମନ୍ଦିର ଆଖପାଖରେ ଗଞ୍ଜେଇର ବ୍ୟାପକ କାରବାର ହେଉଛି । ଏଠାକାର ଗଞ୍ଜେଇ ମାଫିଆ ଏବେ ଦୈନିକ ୩୦/୪୦ କିଲୋ ଗଞ୍ଜେଇ ଆଣୁଛନ୍ତି । ପ୍ରଥମେ ଗଞ୍ଜେଇକୁ କିଲିକିଆ କିମ୍ବା ଦୁଇ କିଲିଆ ପୁଡିଆ କରିଦିଆଯାଉଛି । ପରେ ଏହାକୁ ନିକଟସ୍ଥ ବସ୍ତିର ବିଭିନ୍ନ ଲୋକଙ୍କ ଘରେ ରଖାଯାଉଛି । ଏହାର ଏକମାତ୍ର କାରଣ ହେଲା ଯଦି ପୁଲିସ୍ କିମ୍ବା ଅବକାରୀ ଚଢଉ ହୁଏତେବେ ସହଜରେ ଖସିବା । କାରଣ ଆଇନ୍ ଅନୁଯାୟୀ ୨୦କିଲୋରୁ କମ୍ ପରିମାଣ ଗଞ୍ଜେଇ ଧରାପଡିଲେ ସହଜରେ ଜାମିନ ମିଳିଯିବ । ଫଳରେ ବେପାରୀମାନେ ନିଜ ପାଖରେ କିଲୋ ଦୁଇ କିଲୋ ରଖି ବାକି ସବୁ ବସ୍ତିରେ ବିଭିନ୍ନ ଲୋକଙ୍କ ଘରେ ରଖୁଛନ୍ତି ଓ ଏଥିପାଇଁ ସେମାନଙ୍କୁ ଭଡା ବି ଦେଉଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳରୁ ଏଠାକୁ ବିଭନ୍ନ ଗାଡିରେ ପ୍ରତିଦିନ ଗଞ୍ଜେଇ ଆସୁଛି । ଲକ୍ଡାଉନରେ ବେପାର ବଢିଥିବାରୁ ଦୈନିକ ୩୦/୪୦ କିଲୋ ପର୍ଯ୍ୟନ୍ତ କାରବାର ହେଉଛି । ଛଅ ନମ୍ବର ଅଞ୍ଚଳରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଛି । ସ୍ଥାନୀୟ କେତେକ ମହିଳା ବି ଗଞ୍ଜେଇ ସଗାରେଟ ବଳିବା ସହିତ ତାହାକୁ ନିକଟସ୍ଥ ଦୋକାନରେ ବିକ୍ରି କରୁଛନ୍ତି । ଏହାର ଡିମାଣ୍ଡ ବି ଢେର ରହିଛି । ଗଞ୍ଜେଇ ସିଗାରେଟ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରୁ ଯୁବକମାନେ ଛଅ ନମ୍ବର ସ୍ଥିତ କାଳୀମନ୍ଦିର ନିକଟକୁ ଛୁଟି ଆସୁଛନ୍ତି ।
ତେବେ ମଜାର କଥା ହେଉଛି ପୁଲିସ୍ ଓ ଅବକାରୀ କେମିତି ଏହାର ଟେର ପାଉନାହିଁ । ଗୁଇନ୍ଦା ବାବୁମାନେ ବି ନିର୍ବିକାର । ଏଠାରେ ବସ୍ତିରେ ରହି ଗଞ୍ଜେଇ ବେପାର କରୁଥିବା ମାଫିଆମାନେ ରାଜଧାନୀର ବିଭିନ୍ନ ସ୍ଥାନରେ କୋଠା ତିଆରି କରିଭଡା ଦେବା ସହିତ ମାସକୁ ଲକ୍ଷାଧିକ ଟଙ୍କାର ବେପାର ଚଳାଇଥିବାବେଳେ ବଡ ବଡିଆଙ୍କ ଘର ଆଖପାଖରେ ଥିବା ନିଶାବେପାର କିଭଳି କାୟାବିସ୍ତାର କରୁଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି ।