Odia News Portal

ରାଜଧାନୀରେ ଗନ୍ ପଏଣ୍ଟରେ ଗଣଦୁଷ୍କର୍ମ

ଭୁବନେଶ୍ୱର: ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ | ଘଟଣାଟି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ୪ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି।

ସୂଚନା ଅନୁଯାୟୀ, ଗତ ଫେବୃଆରୀ ୨୬ ତାରିଖରେ ସଂପୃକ୍ତ ମହିଳା ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ତାଙ୍କ ଶାଶୂ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସି ମହିଳାଙ୍କୁ ବନ୍ଧୁକ ଦେଖାଇ ଉଠାଇ ନେଇଥିଲେ। ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ୍‌ ତାଙ୍କୁ ମିଛ ଘଟଣା କହି ସେଠାରୁ ତଡି ଦେଇଥିଲା । ଥାନା ପୋଲିସ ନ ଶୁଣିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ସିପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳା ଥାନାକୁ ଆସି ଅଭିଯୋଗ କରିବା ଘଟଣାକୁ ଖଣ୍ଡନ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଘଟଣା ଫେବୃଆରୀ ମାସ ୨୬ ତାରିଖରେ ଘଟିଥିବା ବେଳେ ମାର୍ଚ୍ଚ ୧୮ରେ ଥାନାରେ ଅଭିଯୋଗ ଆଣିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଶନିବାର ଗଣଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି। ଘଟଣା ଦିନ ମହିଳା ପିନ୍ଧିଥିବା ପୋଷାକ ହଜିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଷାକ ଓହ୍ଲାଇ ତାଙ୍କ ଭଉଣୀକୁ ଦେଇଥିଲେ। ଭଉଣୀ ପୋଷାକକୁ ଘର ଆଗରେ ଥିବା ଡଷ୍ଟବିନ୍‌ରେ ପକାଇଥିଲେ। ତେବେ ଘର ଆଗରେ ସେଭଳି କିଛି ଡଷ୍ଟବିନ୍‌ ନ ଥିବା ବେଳେ ପୋଷାକ କୁଆଡେ ଗଲା, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପୋଲିସ କହିଛି ମହିଳା ଜଣଙ୍କ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ଏତଲାକ୍ରମେ ମହିଳାଙ୍କ ସ୍ୱାମୀ କିଛି ଦିନ ତଳେ ଜେଲ୍‌ ଯାଇଥିଲେ।